ୱାଶିଂଟନ: ଆମେରିକା ନିଜର ଏକ ସାମରିକ ହେଲିକପ୍ଟରକୁ ଖସାଇ ଦିଆଯିବାର ଜବାବରେ ଇରାନ ଉପରେ ପୁଣିଥରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଇରାନର ଏକାଧିକ ଠିକଣାକୁ ଟାର୍ଗେଟ କରି ଆମେରିକା ସାନି ଏୟାରଷ୍ଟ୍ରାଇକ୍ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ୱାଶିଂଟନ ସହ ପରମାଣୁ ଚୁକ୍ତି ସ୍ୱାକ୍ଷର ନକରେ, ତେବେ ତା’ଉପରେ ସାମରିକ ଚାପ ଆହୁରି ବୃଦ୍ଧି କରାଯିବ।

ବୁଧବାର ସନ୍ଧ୍ୟା ୫:୧୫ (ଇଷ୍ଟର୍ଣ୍ଣ ଟାଇମ୍) ରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନର ବିଭିନ୍ନ ଟାର୍ଗେଟ୍ ଉପରେ ଆକ୍ରମଣ କରିଥିଲା। ସେଣ୍ଟ୍ରାଲ କମାଣ୍ଡ ଏହାକୁ ‘ଆତ୍ମରକ୍ଷାମୂଳକ ଆକ୍ରମଣ’ ବୋଲି ଦର୍ଶାଇଛନ୍ତି। ସୋମବାର ଦିନ ଓମାନ ନିକଟରେ ଇରାନ ଦ୍ୱାରା ଆମେରିକା ସେନାର ଏକ ଏଏଚ୍-୬୪ ଆପାଚେ (AH-64 Apache) ହେଲିକପ୍ଟରକୁ ଖସାଇ ଦିଆଯିବା ପରେ ଏହି ନୂତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ହେଲିକପ୍ଟରର କ୍ରୁ ସଦସ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି, କିନ୍ତୁ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ।

ଫ୍ଲୋରିଡାର ମ୍ୟାକଡିଲ୍ ବାୟୁସେନା ଘାଟିରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ହେଗସେଥ୍ କହିଛନ୍ତି ଯେ, “ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେ ଇରାନକୁ କଡ଼ା ଜବାବ ଦେଉଛୁ। ଇରାନ ପାଖରେ ଏକ ଭଲ ଚୁକ୍ତି କରିବାର ସୁଯୋଗ ରହିଛି, କିନ୍ତୁ ସେମାନେ ଏହା କରିବାକୁ ଇଚ୍ଛୁକ ନୁହଁନ୍ତି।” ହ୍ୱାଇଟ ହାଉସରେ ଟ୍ରମ୍ପ କହିଛନ୍ତି ଯେ ମାସ ମାସ ଧରି ଆଲୋଚନା ସତ୍ତ୍ୱେ ଇରାନ ଏହି ଚୁକ୍ତିକୁ ପାଳନ କରୁନାହିଁ। ସେ କହିଛନ୍ତି, “ଗତକାଲି ଆମେ ସେମାନଙ୍କୁ ଶକ୍ତ ପ୍ରହାର କରିଥିଲୁ, ଏବଂ ଆଜି ମଧ୍ୟ କଡ଼ା ଜବାବ ଦେବୁ। ଏହି ଚୁକ୍ତି ସେମାନଙ୍କୁ କେବେ ବି ପରମାଣୁ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦେବ ନାହିଁ।”

ଏହା ବ୍ୟତୀତ ସେଣ୍ଟ୍ରାଲ କମାଣ୍ଡ ସୂଚନା ଦେଇଛି ଯେ, ଆମେରିକାର ନେତୃତ୍ୱରେ ଚାଲିଥିବା ଅବରୋଧକୁ ଉଲ୍ଲଂଘନ କରି ଇରାନୀୟ ତୈଳ ପରିବହନ କରୁଥିବା ଆଉ ଏକ ପାଲାଉ-ପତାକାବାହୀ ଟ୍ୟାଙ୍କର ଏମ୍/ଟି ସେଟ୍ଟେବେଲୋ (M/T Settebello)କୁ ଆମେରିକା ସେନା ଅକାମୀ କରିଦେଇଛି। ବାରମ୍ବାର ନିର୍ଦ୍ଦେଶ ନମାନିବାରୁ ଆମେରିକୀୟ ବିମାନ ଏହି ଟ୍ୟାଙ୍କରର ଇଞ୍ଜିନ ରୁମ୍ ଉପରେ ସଠିକ୍ ଆକ୍ରମଣ କରିଥିଲା।ପ୍ରତିରକ୍ଷା ମନ୍ତ୍ରୀ ହେଗସେଥ୍ କହିଛନ୍ତି ଯେ ହୋରମୁଜ୍ ପ୍ରଣାଳୀ ଉପରେ ଆମେରିକାର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି।

ପ୍ରୋଜେକ୍ଟ ଫ୍ରିଡମ ମାଧ୍ୟମରେ ଆମେରିକାର ସୁରକ୍ଷାରେ ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତୈଳ ସୁରକ୍ଷିତ ଭାବେ ପରିବହନ କରାଯାଇଛି, ଯାହାକୁ ଇରାନ ସ୍ୱୀକାର କରିବାକୁ ଚାହୁଁନାହିଁ। ଶେଷରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, କୂଟନୈତିକ ଆଲୋଚନା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଏକାସାଙ୍ଗରେ ଜାରି ରହିବ ଏବଂ ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ଦିଆଯିବ ନାହିଁ।