ୱାଶିଂଟନ୍: ଆମେରିକାର ଖୋଲା ରାଜନୈତିକ ବ୍ୟବସ୍ଥାର ଫାଇଦା ଉଠାଇବାକୁ ଚୀନ୍ ଉଦ୍ୟମ କରୁଛି ବୋଲି ଜଣେ ଶୀର୍ଷ ଆମେରିକୀୟ ସାଂସଦ ଅଭିଯୋଗ କରିଛନ୍ତି। ଆମେରିକାର ଟାରିଫ୍ ନୀତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଭିତ୍ତିଭୂମିର ସମ୍ପ୍ରସାରଣକୁ ନେଇ ଚାଲିଥିବା ବିତର୍କକୁ ପ୍ରଭାବିତ କରିବା ପାଇଁ ଚୀନ୍ ସମର୍ଥିତ ଗୋଷ୍ଠୀ ChatGPT ର ବ୍ୟବହାର କରୁଥିବା ନେଇ ପ୍ରସିଦ୍ଧ AI କମ୍ପାନୀ ‘ଓପନ୍ ଏଆଇ’ ଖୁଲାସା କରିବା ପରେ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ଉପରେ ଗଠିତ ହାଉସ୍ ସିଲେକ୍ଟ କମିଟିର ଅଧ୍ୟକ୍ଷ ତଥା ସାଂସଦ ଜନ୍ ମୁଲେନାର ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, “ଆମେ ଏକ ସ୍ୱାଧୀନ ଏବଂ ମୁକ୍ତ ସମାଜରେ ବାସ କରୁଛୁ ଯେଉଁଠାରେ ଆମେ ଦେଶର ବିକାଶମୂଳକ ବିଷୟ ଉପରେ ଆଲୋଚନା କରିପାରିବୁ। କିନ୍ତୁ ଦୁର୍ଭାଗ୍ୟବଶତଃ, ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ଆମର ଏହି ଖୋଲାପନର ଫାଇଦା ଉଠାଉଛି ଏବଂ ନିଜର ସଂଗଠନଗୁଡ଼ିକ ମାଧ୍ୟମରେ ଆମେରିକୀୟମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି।

OpenAI ର ଜୁନ୍ ୨୦୨୬ ରିପୋର୍ଟ ଅନୁଯାୟୀ, ଆମେରିକାର AI ନୀତି ଏବଂ ପ୍ରଯୁକ୍ତିଗତ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଗୁପ୍ତ ପ୍ରଭାବ ବିସ୍ତାର କରିବାକୁ ପ୍ରୟାସ କରୁଥିବା “ଚୀନରୁ ପରିଚାଳିତ” ଦୁଇଟି ChatGPT ଆକାଉଣ୍ଟ୍ ଗୋଷ୍ଠୀକୁ କମ୍ପାନୀ ବାସନ୍ଦ (Banned) କରିଦେଇଛି। ଏହି ଗୋଷ୍ଠୀ ମୁଖ୍ୟତଃ ଦୁଇଟି ଅଭିଯାନ ଚଳାଇଥିଲା। ଏହି ଅଭିଯାନ ମାଧ୍ୟମରେ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ଜରିଆରେ ଗୁଜବ ସୃଷ୍ଟି କରାଯାଇଥିଲା ଯେ AI ଡାଟା ସେଣ୍ଟର ଗୁଡ଼ିକ କାରଣରୁ ସାଧାରଣ ଆମେରିକୀୟଙ୍କ ପାଇଁ ବିଦ୍ୟୁତ୍ ଦର ଅହେତୁକ ବୃଦ୍ଧି ପାଉଛି। ଏଥିରେ ଆମେରିକାର ଶୁଳ୍କ ନୀତିକୁ ସମାଲୋଚନା କରିବା ସହ ୱାଶିଂଟନକୁ ପ୍ରଯୁକ୍ତିଗତ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଦର୍ଶାଇ କାର୍ଟୁନ୍ ଏବଂ ମନ୍ତବ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ସିଷ୍ଟମକୁ କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିବା ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନାମ ଆଦୌ ନନେବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ନେଟୱାର୍କଗୁଡ଼ିକ ChatGPT ୟୁଜରଙ୍କ ତଥ୍ୟ ଚୋରି ହୋଇଥିବା ନେଇ ମଧ୍ୟ ମିଥ୍ୟା ପ୍ରଚାର କରିଥିଲେ, ଯାହାକୁ OpenAI ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। କମ୍ପାନୀର ଅନୁସନ୍ଧାନ ଅନୁଯାୟୀ, ଅନଲାଇନରେ ଏହି ଅଭିଯାନଗୁଡ଼ିକର କୌଣସି ବଡ଼ ପ୍ରଭାବ ପଡ଼ିନାହିଁ କିମ୍ବା ଲୋକଙ୍କର ବିଶେଷ ସମର୍ଥନ ମିଳିନାହିଁ। ତଥାପି, ବିଦେଶୀ ଶକ୍ତିମାନେ ଆମେରିକାର ଘରୋଇ ପ୍ରସଙ୍ଗରେ ମୁଣ୍ଡ ପୂରାଉଥିବା ଏଥିରୁ ସ୍ପଷ୍ଟ ହୋଇଛି।ସାଂସଦ ମୁଲେନାର କହିଛନ୍ତି ଯେ ତାଙ୍କ କମିଟି ଡାଟା ସେଣ୍ଟର ବିବାଦରେ ଚୀନର ହସ୍ତକ୍ଷେପ ନେଇ ତଦନ୍ତ ଜାରି ରଖିବ।

ଆମେରିକା ଏବଂ ଚୀନ୍ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେଉଥିବା ବେଳେ ଉଭୟ ଦେଶ ନିଜର ଅର୍ଥନୈତିକ ବିକାଶ ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରୁଛନ୍ତି ଏବଂ ଏହି ସମୟରେ ଏଭଳି ରିପୋର୍ଟ ଚିନ୍ତାର ବିଷୟ ପାଲଟିଛି।