ହାଂସି (ହରିୟାଣା): ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ହାଂସି ସହରରେ ଗୁରୁବାର ସକାଳୁ ଏକ ବଡ଼ଧରଣର ଗ୍ୟାଙ୍ଗୱାର୍ ଦେଖିବାକୁ ମିଳିଛି। ସହରର ଫୱାରା ଚୌକ୍ ନିକଟରେ ମୋଟରସାଇକେଲରେ ଆସିଥିବା ଦୁଇଜଣ ସଶସ୍ତ୍ର ଦୁର୍ବୃତ୍ତ ଜଣେ ଜିମ୍ ମାଲିକଙ୍କୁ ଅତି ନିକଟରୁ ଅତର୍କିତ ଗୁଳିମାଡ଼ କରି ହତ୍ୟା କରିଛନ୍ତି। ମାତ୍ର ୫ ସେକେଣ୍ଡ ଭିତରେ ଦୁର୍ବୃତ୍ତ ଜଣକ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରେ ହିଁ ଜିମ୍ ମାଲିକଙ୍କ ଜୀବନ ନେଇଛନ୍ତି।
ମୃତକଙ୍କ ଚିହ୍ନଟ କପିଳ (କପିଳ ରେଡ୍ଡୁ) ଭାବେ ହୋଇଛି, ଯିଏ କି ସ୍ଥାନୀୟ ଅଞ୍ଚଳରେ ‘ରେଡ୍ ଜିମ୍’ ଚଲାଉଥିଲେ। ସୂଚନା ଅନୁଯାୟୀ, କପିଳ ସକାଳ ପ୍ରାୟ ୫:୩୦ ସମୟରେ ଜିମ୍ ବାହାରେ କିଛି ଯୁବକ ଓ ଯୁବତୀଙ୍କୁ ନେଇ ମର୍ଣ୍ଣିଂ ୱାର୍କଆଉଟ୍ ଏବଂ ବ୍ୟାୟାମ ସେସନ୍ କରାଉଥିଲେ। ଏହି ସମୟରେ ହେଲମେଟ୍ ପିନ୍ଧିଥିବା ଦୁଇଜଣ ବାଇକ୍ ଆରୋହୀ ସେଠାରେ ପହଞ୍ଚିଥିଲେ ଏବଂ ଗାଡ଼ି ପଛରେ ବସିଥିବା ଦୁର୍ବୃତ୍ତ ଜଣକ ଓହ୍ଲାଇ କପିଳଙ୍କ ପଛପଟୁ ଏବଂ ମୁଣ୍ଡକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଇଥିଲେ।
ଗୁଳିମାଡ଼ ଏତେ ଦ୍ରୁତ ଥିଲା ଯେ କପିଳଙ୍କୁ ସମ୍ଭାଳିବାକୁ ସୁଯୋଗ ମିଳିନଥିଲା ଏବଂ ସେ ସେଠାରେ ହିଁ ଟଳି ପଡ଼ିଥିଲେ। ଏହି ଗୁଳିକାଣ୍ଡ ସମୟରେ ସେଠାରେ ୱାର୍ମ-ଅପ୍ କରୁଥିବା ଶିଖା ନାମକ ଜଣେ ମହିଳା ମଧ୍ୟ ଗୁଳିର ଛିଟା ବା ଛେରା ବାଜି ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହିସାରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ହାଂସି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରାଇମ୍ ଇନଭେଷ୍ଟିଗେସନ୍ ଏଜେନ୍ସି ଏବଂ ଫୋରେନସିକ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଏହି ନିର୍ମମ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ସ୍ଥାନୀୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ପୋଲିସ ହାତରେ ଲାଗିଛି।
ହତ୍ୟାକାଣ୍ଡର କିଛି ଘଣ୍ଟା ପରେ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ‘ହରି ବକ୍ସର’ ଏକ ଅଡିଓ ମେସେଜ୍ ଜାରି କରି ଏହି ହତ୍ୟାକାଣ୍ଡ ପାଇଁ ନିଜ ଗ୍ୟାଙ୍ଗକୁ ଦାୟୀ କରିଛି। ହରି ବକ୍ସର ନିଜ ବାର୍ତ୍ତାରେ ଆର.ଡି. ଧାଲିୱାଲ, ହରମାନ ସାନ୍ଧୁ ଏବଂ ବିକ୍ରମ କାଧଲଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଯୋଜନା କରିଥିବା ସ୍ୱୀକାର କରିଛି। ସେ ଅଭିଯୋଗ କରିଛି ଯେ ପୂର୍ବରୁ ଶେଖପୁରା ଧାରିକପୁରିଆଠାରେ ହୋଇଥିବା ଏକ ଗୁଳିକାଣ୍ଡରେ କପିଳ ବିରୋଧୀ ଗୋଷ୍ଠୀକୁ ସହଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ଦୁଇଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ଶୁଣିନଥିଲେ। ତାଙ୍କ ସହ ଜଡ଼ିତ ଅନ୍ୟମାନଙ୍କୁ ମଧ୍ୟ ଟାର୍ଗେଟ୍ କରାଯିବ ବୋଲି ହରି ବକ୍ସର ଧମକ ଦେଇଛି।
ଦିଲ୍ଲୀ ଗୁଳିକାଣ୍ଡ ଏବଂ ସଲମାନ ଖାନଙ୍କୁ ଚେତାବନୀ: ଉକ୍ତ ଅଡିଓ ବାର୍ତ୍ତାରେ ହରି ବକ୍ସର ନିକଟରେ ଦିଲ୍ଲୀରେ ହୋଇଥିବା ଏକ ଗୁଳିକାଣ୍ଡ ପାଇଁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗକୁ ଦାୟୀ କରିଛି। ଏହା ସହିତ ସେ ବଲିଉଡ ଅଭିନେତା ସଲମାନ ଖାନଙ୍କ ନିକଟତର ବ୍ୟକ୍ତିମାନଙ୍କୁ ଚେତାବନୀ ଦେବା ସହ କହିଛି ଯେ, “କୌଣସି ବି ସୁରକ୍ଷା ତାଙ୍କୁ (ସଲମାନ ଖାନଙ୍କୁ) ବଞ୍ଚାଇ ପାରିବ ନାହିଁ।” ଏହି ଘଟଣା ପରେ ହରିୟାଣା ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।




