ସୁନ୍ଦରଗଡ଼: ରୋଗୀ ଦେଖାଇବା ବାହାନାରେ ଏକ ଆବାସିକ କ୍ଲିନିକ୍‌ରେ ପ୍ରବେଶ କରି ବନ୍ଧୁକ ଦେଖାଇ ନଗଦ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ ତୁରନ୍ତ ସଫଳତା ହାସଲ କରିଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍‌ ଟଙ୍କା ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କଠାରୁ ମୋଟ ୧.୬୭ ଲକ୍ଷ ଟଙ୍କା, ୨ଟି ବାଇକ୍‌ ଏବଂ ୫ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି।

ସୂଚନା ଅନୁସାରେ, ଧରୁଆଡିହି ଅଞ୍ଚଳରେ ମୋତିଲାଲ ବିଶ୍ୱାସଙ୍କ ଔଷଧ ଦୋକାନ ସହ ଏକ ଆବାସିକ କ୍ଲିନିକ୍‌ ରହିଛି। ୧୦ ତାରିଖ ରାତି ପ୍ରାୟ ୮ଟା ୧୫ ସମୟରେ ଦୁଇ ଜଣ ବ୍ୟକ୍ତି ରୋଗୀ ଦେଖାଇବା ନାଁରେ କ୍ଲିନିକ୍‌କୁ ପ୍ରବେଶ କରିଥିଲେ। ପରେ ଅନ୍ୟ ଅଭିଯୁକ୍ତମାନେ ଭିତରକୁ ପଶି ଅସ୍ତ୍ର ଦେଖାଇ ତାଙ୍କୁ ଭୟଭୀତ କରିଥିଲେ।

ଅଭିଯୁକ୍ତମାନେ ଘର ଭିତରର ଆଲମିରା ଓ ଡ୍ରୟର ଖୋଲି ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଘଟଣା ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସିବାରୁ ସେମାନେ ପଛପଟ ସିଡ଼ି ବାଟେ ପଳାଇଯାଇଥିଲେ।

ଘଟଣାର ସୂଚନା ପାଇ ଧରୁଆଡିହି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଦଳ ସିସିଟିଭି ଫୁଟେଜ୍‌, ଗୁପ୍ତଚର ସୂଚନା ଏବଂ ବୈଷୟିକ ପ୍ରମାଣ ଆଧାରରେ ଚଢ଼ାଉ କରିଥିଲା। ପରେ କିଞ୍ଜିର୍ମା ଜଙ୍ଗଲ ଅଞ୍ଚଳରୁ ପଳାଇବାକୁ ଉଦ୍ୟମ କରୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଧରାଯାଇଥିଲା।

ପୁଲିସ କହିଛି, ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ଓ ଏହି ଗ୍ୟାଙ୍ଗର ଅନ୍ୟ କୌଣସି ଲୁଟ୍‌ ଘଟଣା ସହ ସଂପୃକ୍ତି ଥିଲା କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।