ଭୁବନେଶ୍ୱର: ଦେଶର ଅଣ-ପଞ୍ଜୀକୃତ କ୍ଷୁଦ୍ର ଓ ଛୋଟ ସଂସ୍ଥାଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ପାରିଶ୍ରମିକ ତୁଳନାମୂଳକ ତଥ୍ୟରେ ଓଡ଼ିଶା ଚିନ୍ତାଜନକ ସ୍ଥିତିରେ ରହିଛି। ଉପଲବ୍ଧ ରିପୋର୍ଟ ଅନୁଯାୟୀ, ଏହି କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଆ କର୍ମଚାରୀଙ୍କ ବାର୍ଷିକ ମୁଣ୍ଡପିଛା ଆୟ ଦେଶରେ ସବୁଠୁ କମ୍ ରହିଛି।
ତଥ୍ୟ ଅନୁସାରେ, ରାଜ୍ୟର ଅଣ-ପଞ୍ଜୀକୃତ ସଂସ୍ଥାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ବାର୍ଷିକ ମୁଣ୍ଡପିଛା ପାରିଶ୍ରମିକ ୧,୦୫,୩୩୫ ଟଙ୍କା ରହିଛି। ଏହା ଜାତୀୟ ହାର ୧,୪୬,୫୫୦ ଟଙ୍କା ତୁଳନାରେ ୪୧,୨୧୫ ଟଙ୍କା କମ୍। ମାସିକ ହିସାବରେ ଏହା ପ୍ରାୟ ୮,୭୭୭ ଟଙ୍କା ଏବଂ ଦୈନିକ ହିସାବରେ ମାତ୍ର ୨୯୨ ଟଙ୍କା ପଡ଼ୁଛି।
ବିଶେଷ କଥା ହେଲା, ଏହି ରାଶି ଦିନ ମଜୁରିଆଙ୍କ ପାଇଁ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଠାରୁ ମଧ୍ୟ କମ୍ ବୋଲି ଉଲ୍ଲେଖ କରାଯାଇଛି। ଯେଉଁଠି ଦିନ ମଜୁରିଆଙ୍କ ପାଇଁ ଆଇନଗତ ଭାବେ ନ୍ୟୁନତମ ପାଉଣା ବ୍ୟବସ୍ଥା ରହିଛି, ସେଠାରେ ଅଣ-ପଞ୍ଜୀକୃତ ସଂସ୍ଥାର କର୍ମଚାରୀମାନେ ଅଧିକାଂଶ କ୍ଷେତ୍ରରେ ସେହି ସୁରକ୍ଷାରୁ ବଞ୍ଚିତ ରହୁଛନ୍ତି।
ତୁଳନାତ୍ମକ ତଥ୍ୟରେ ଉତ୍ତରାଖଣ୍ଡ (୨,୧୪,୨୩୭ ଟଙ୍କା), କେରଳ (୧,୯୮,୨୦୪ ଟଙ୍କା), ତେଲେଙ୍ଗାନା (୧,୯୦,୩୯୦ ଟଙ୍କା), ତାମିଲନାଡୁ (୧,୬୮,୦୪୭ ଟଙ୍କା) ଏବଂ ଗୁଜରାଟ (୧,୫୩,୧୨୨ ଟଙ୍କା) ଭଳି ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ବହୁତ ଆଗରେ ରହିଛନ୍ତି।
ଅର୍ଥନୀତିବିଦ୍ମାନଙ୍କ ମତରେ, ରାଜ୍ୟର ଅଧିକାଂଶ ଛୋଟ ଓ ଅଣ-ପଞ୍ଜୀକୃତ ସଂସ୍ଥା ସୀମିତ ପୁଞ୍ଜି, କମ୍ ଉତ୍ପାଦକତା ଏବଂ ସଂଗଠିତ ଆର୍ଥିକ ସହାୟତାର ଅଭାବ ଯୋଗୁଁ ଆଗକୁ ବଢ଼ିପାରୁନାହାନ୍ତି। ଏହାର ସିଧା ପ୍ରଭାବ କର୍ମଚାରୀଙ୍କ ଦରମା ଉପରେ ପଡ଼ୁଛି।
ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଅଣ-ପଞ୍ଜୀକୃତ ସଂସ୍ଥାଗୁଡ଼ିକୁ ଔପଚାରିକ ଅର୍ଥନୀତି ସହ ଯୋଡ଼ିବା, ସଂଗଠିତ ଋଣ ସୁବିଧା ଏବଂ ସର୍ବନିମ୍ନ ମଜୁରୀ ନିୟମ କାର୍ଯ୍ୟକାରୀ କରିବା ଏହି ସମସ୍ୟାର ସମାଧାନର ପ୍ରମୁଖ ଉପାୟ ହୋଇପାରେ।




