ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ (AIIMS) ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶା ମୋଟର ଯାନ ବିଭାଗର କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆ (୩୧)ଙ୍କ ମୃତ୍ୟୁ ଘଟିଛି। ଗତ ଜୁନ୍ ୫ ତାରିଖରେ ଏକ ଅଭାବନୀୟ ସ୍ଥିତିରେ ସେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇ ଗୁରୁତର ହୋଇପଡ଼ିଥିଲେ। ଶୁକ୍ରବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଛତ୍ରପୁରରେ କାର୍ଯ୍ୟରତ ଆଶୁତୋଷ ମୃତ୍ୟୁ ପୂର୍ବରୁ ମାଜିଷ୍ଟ୍ରେଟ ଓ ପୋଲିସ ସମ୍ମୁଖରେ ଏକ ସଂଘାତିକ ବୟାନ ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ପୋଲିସ କଲୋନୀ ସ୍ଥିତ ସରକାରୀ ବାସଭବନରେ ତାଙ୍କ ସ୍ତ୍ରୀ ସନ୍ଧ୍ୟା ନାୟକ ଏବଂ ଶାଳକ ଦିବାସ ନାୟକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଶାଳକ ଦିଆସିଲି ମାରି ଦେଇଥିଲେ। ନିଆଁ ଜଳୁଥିବା ଅବସ୍ଥାରେ ସେ ଜଣେ ପଡ଼ୋଶୀଙ୍କ ଘରେ ପଶିଯାଇଥିଲେ ଏବଂ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଜଣେ ହାବିଲଦାର ମଧ୍ୟ ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ପାରିବାରିକ ବିବାଦ ଲାଗି ରହିଥିଲା। ଗତ ମେ’18 ତାରିଖରେ ସ୍ତ୍ରୀ ସନ୍ଧ୍ୟା ନାୟକ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ପୋଲିସ ଆଶୁତୋଷଙ୍କୁ ଗିରଫ କରିଥିଲା। ଏହି ଘଟଣାର ମାତ୍ର କିଛି ଦିନ ପରେ, ଅର୍ଥାତ ଜୁନ୍ ୨ ତାରିଖରେ ସେ ଜାମିନରେ ମୁକୁଳିଥିଲେ ଏବଂ ଜୁନ୍ ୫ରେ ଏହି ସ୍ପର୍ଶକାତର କାଣ୍ଡ ଘଟିଥିଲା।
ଆଶୁତୋଷଙ୍କ ଭଉଣୀ ନିବେଦିତା ପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ପୋଲିସ ଏକ ପ୍ଲାଷ୍ଟିକ ବୋତଲ ଓ ଦିଆସିଲି ବାକ୍ସ ଜବତ କରିବା ସହ ମୃତକ ଏବଂ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍କୁ ଫୋରେନ୍ସିକ ଯାଞ୍ଚ ପାଇଁ ପଠାଇଛି। ଗତ ଦୁଇ ଦିନ ହେବ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ପୋଲିସ ଏହି ହତ୍ୟା ମାମଲାର ସମସ୍ତ ଦିଗକୁ ଆଧାର କରି ତଦନ୍ତକୁ ଅଧିକ ଜୋରଦାର କରିଛି।




