ନୂଆପଡ଼ା: ଓଡ଼ିଶା–ଛତିଶଗଡ ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ଛତିଶଗଡର ଗରିଆବନ୍ଧ ଜିଲ୍ଲା ଅଧୀନ ଡଡଇପାନି ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ମାଟି ତଳେ ପୋତି ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଛତିଶଗଡ ପୁଲିସ ଓ ସିଆର୍‌ପିଏଫ୍‌ ୬୫ ବାଟାଲିୟନ ପକ୍ଷରୁ ଜଙ୍ଗଲ ଅଞ୍ଚଳରେ ସଂଯୁକ୍ତ କୁମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ସୁରକ୍ଷାବାହିନୀ ମାଓବାଦୀମାନଙ୍କ ଲୁଚାଇ ରଖାଯାଇଥିବା ସାମଗ୍ରୀ ଠାବ କରିଥିଲେ।

ଜବତ ସାମଗ୍ରୀ ମଧ୍ୟରେ ୪ କିଲୋଗ୍ରାମ ଓଜନର ଗୋଟିଏ ଆଇଇଡି, ୫ କିଲୋଗ୍ରାମ ଓଜନର ଆଉ ଗୋଟିଏ ଆଇଇଡି, ଗୋଟିଏ ରାଇଫଲ, ରାଇଫଲ ମ୍ୟାଗାଜିନ୍, ୟୁବିଜିଏଲ୍ (Under Barrel Grenade Launcher) ସହ ଅନ୍ୟାନ୍ୟ ସାମଗ୍ରୀ ଥିବା ଜଣାପଡ଼ିଛି।

ସୁରକ୍ଷା ଦୃଷ୍ଟିରୁ ଜବତ ହୋଇଥିବା ଦୁଇଟି ଆଇଇଡିକୁ ଘଟଣାସ୍ଥଳରେ ନିଷ୍କ୍ରିୟ ଓ ନଷ୍ଟ କରାଯାଇଛି। ଅଞ୍ଚଳରେ ଅଧିକ ତଲାସି ଓ ସୁରକ୍ଷା ଅଭିଯାନ ଜାରି ରହିଛି।