କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଂଘର ସଭାନେତ୍ରୀ ଚାମେଲି ଓଝାଙ୍କୁ ପୋଲିସ ଗିରଫ କରିଛି। ଶନିବାର ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଗତ ଜୁନ୍ ୧୦ ତାରିଖରେ ମହାକାଳପଡ଼ା ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କ ଚାମ୍ବରରେ ଏକ ଅଭିଯୋଗ ଶୁଣାଣି ସମୟରେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ସରପଞ୍ଚ ଚାମେଲି ଓଝା ବୈଠକ ଚାଲିଥିବା ସମୟରେ ଭିଡିଓ ରେକର୍ଡିଂ କରିବା ସହ ଲାଇଭ୍-ଷ୍ଟ୍ରିମିଂ ଆରମ୍ଭ କରିଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଏ ସମ୍ପର୍କରେ ପୃଥକ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୋଲିସ ପ୍ରଥମେ ସରପଞ୍ଚଙ୍କ ସାନଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ସେହିଦିନ ଗିରଫ କରିଥିବା ବେଳେ ପରେ ଚାମେଲିଙ୍କୁ ହେପାଜତକୁ ନେଇଥିଲା।

ସରପଞ୍ଚ ଚାମେଲି ଓଝା ଅଭିଯୋଗ କରିଛନ୍ତି ଯେ, ପୋଲିସ ଗାଡ଼ି ଭିତରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଛି ଓ ମାଡ଼ ମରାଯାଇଛି। ତେବେ କେନ୍ଦ୍ରାପଡ଼ା ଏସପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଥାନାର ସିସିଟିଭି ଫୁଟେଜ୍‌ର ଦ୍ୱାହି ଦେଇ ଏସପି କହିଛନ୍ତି ଯେ, ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଥାନାରେ ସମ୍ପୂର୍ଣ୍ଣ ଶାନ୍ତ ଭାବେ ବସିଥିଲେ।

ଏହି ଗିରଫଦାରୀକୁ ନେଇ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରପଞ୍ଚ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ଏସପିଙ୍କୁ ଭେଟି ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ଅପରପକ୍ଷରେ, ନ୍ୟାୟ ଆଶାରେ ଚାମେଲି ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଘଟଣାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ପୋଲିସ ବର୍ତ୍ତମାନ ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ଏହି ସିସିଟିଭି ଆଧାରରେ ସେଦିନ ପ୍ରକୃତରେ କ’ଣ ଘଟିଥିଲା, ତାହାର ସେକ୍ୱେନ୍ସ (ଘଟଣାକ୍ରମ) ପ୍ରସ୍ତୁତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।