ତେହେରାନ: ଆମେରିକା ଏବଂ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁର ପ୍ରାୟ ୪ ମାସ ପରେ, ଶେଷରେ ତାଙ୍କର ସମାଧି ସମ୍ପର୍କିତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ୯ ତାରିଖରେ ମସହାଦ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଇରାନ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ସରକାରୀ ସୂଚନା ଅନୁସାରେ, ଜୁଲାଇ ୪ ତାରିଖରୁ ତେହେରାନ, କୋମ୍ (Qom) ଏବଂ ମସହାଦରେ ୫ ଦିନିଆ ଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଜୁଲାଇ ୪,୫ ତେହେରାନର ଇମାମ ଖୋମେନି ମୋସାଲ୍ଲାରେ ବିଦାୟକାଳୀନ ଶ୍ରଦ୍ଧାଞ୍ଜଳି ସଭା।ଜୁଲାଇ ୬ ରାଜଧାନୀ ତେହେରାନରେ ଏକ ବିଶାଳ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା।
ଜୁଲାଇ ୭ ପବିତ୍ର ସହର ‘କୋମ୍’ କୁ ପାର୍ଥିବ ଶରୀର ନିଆଯିବ।
ଜୁଲାଇ ୯ ଇମାମ ସଜ୍ଜାଦଙ୍କ ସହିଦ ଦିବସ ଅବସରରେ ମସହାଦର ପ୍ରସିଦ୍ଧ ‘ଇମାମ ରେଜା’ ପୀଠରେ ସମାଧି ଦିଆଯିବ। ଏହି ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟଙ୍କୁ ମଧ୍ୟ ଏଠାରେ ସମାଧି ଦିଆଯିବ। ୧୯୮୯ରେ ଆୟାତୋଲ୍ଲା ରୁହୋଲ୍ଲା ଖୋମେନିଙ୍କ ପରେ ସେ ଦୀର୍ଘ ୩୫ ବର୍ଷ ଧରି ଇରାନର ନେତୃତ୍ୱ ନେଇଥିଲେ।
ଚଳିତ ବର୍ଷ ଫେବ୍ରୁଆରୀରେ ହୋଇଥିବା ଆକ୍ରମଣ ପରେ ଦେଶରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି, ପରମାଣୁ ବୁଝାମଣା ଏବଂ ଇରାନର ଆଭ୍ୟନ୍ତରୀଣ ରାଜନୈତିକ ସଂକଟ ଯୋଗୁଁ ଏହି ଅନ୍ତ୍ୟେଷ୍ଠି କାର୍ଯ୍ୟକ୍ରମରେ ବାରମ୍ବାର ବିଳମ୍ବ ଘଟିଥିଲା।




