ତାମିଲନାଡୁ: ଶାସକ ଟିଭିକେ (TVK) ଏବଂ ବିରୋଧୀ ଡିଏମକେ (DMK) ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଡିଏମକେ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ରବିବାର ଦିନ ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜୟଙ୍କ ନିକଟରେ ହୋଇଥିବା ନୂଆଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ଷ୍ଟାଲିନ୍ ତାଙ୍କ ଉପରେ ଦ୍ଵିମୁଖୀ ନୀତି ଆପଣେଇଥିବା ଅଭିଯୋଗ କରିଛନ୍ତି।

ଷ୍ଟାଲିନ୍ ମନେ ପକାଇ ଦେଇଛନ୍ତି ଯେ, ଯେତେବେଳେ ଡିଏମକେ କ୍ଷମତାରେ ଥିଲା ଏବଂ ସେ ନିଜେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଗସ୍ତ କରୁଥିଲେ, ସେତେବେଳେ ବିଜୟ ତାଙ୍କ ଉପରେ ଅନେକ ବ୍ୟକ୍ତିଗତ ଅଭିଯୋଗ ଆଣିଥିଲେ। “ମୁଁ ଯେତେବେଳେ ବି ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଯାଉଥିଲି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଭିଯୋଗ କରୁଥିଲେ ଯେ ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମାମଲାରୁ ବଞ୍ଚିବା ପାଇଁ ଏବଂ ରାଜନୈତିକ ଫାଇଦା ପାଇଁ ବିଜେପି ଶରଣ ପଶିବାକୁ ସେଠାକୁ ଯାଉଛି।”

ବିଜୟଙ୍କ ସାମ୍ପ୍ରତିକ ଦିଲ୍ଲୀ ଗସ୍ତକୁ ନେଇ ଷ୍ଟାଲିନ୍ କିଛି ଟାଣୁଆ ପ୍ରଶ୍ନ ପଚାରିଛନ୍ତି। ଆପଣ ଏବେ କରୁର ସିବିଆଇ (CBI) ମାମଲାରୁ ବଞ୍ଚିବା ପାଇଁ ଦିଲ୍ଲୀ ଯାଇଥିଲେ କି? ଆପଣଙ୍କ ସରକାର ପ୍ରତି ବିପଦ ସୃଷ୍ଟି ହେବା ଭୟରେ ଆପଣ ବିଜେପିକୁ ସମାଲୋଚନା କରିବାକୁ ଡରୁଛନ୍ତି କି? ଷ୍ଟାଲିନ୍ କହିଛନ୍ତି ଯେ ଏହି ପ୍ରଶ୍ନଗୁଡ଼ିକ ବିଜୟଙ୍କ ରାଜନୈତିକ ଆଭିମୁଖ୍ୟର ଅସ୍ଥିରତାକୁ ଦର୍ଶାଉଛି। “ରାଜନୀତିର ସ୍ତର ନିମ୍ନକୁ ନେବିନାହିଁ”ଏହାସହ ଷ୍ଟାଲିନ୍ ସ୍ପଷ୍ଟ କରିଛନ୍ତି ଯେ ସେ ବିଜୟଙ୍କ ଭଳି ବ୍ୟକ୍ତିଗତ ଆକ୍ଷେପ କରିବେ ନାହିଁ।

ଜଣେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଶର ରାଜଧାନୀ ଗସ୍ତ କରିବା ତାଙ୍କ ଦାୟିତ୍ୱର ଏକ ଅଂଶ, ତେଣୁ ଏହାକୁ ସବୁବେଳେ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ। କେବଳ ଏକ ସରକାରୀ ବୈଠକ ପାଇଁ ଦିଲ୍ଲୀ ଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ଅଶୋଭନୀୟ ମନ୍ତବ୍ୟ ଦେଇ ସେ ନିଜ ରାଜନୈତିକ ସ୍ତରକୁ ନିମ୍ନଗାମୀ କରିବାକୁ ଚାହାଁନ୍ତି ନାହିଁ ବୋଲି ଷ୍ଟାଲିନ୍ କହିଛନ୍ତି।