ନିସ୍ (ଫ୍ରାନ୍ସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଫ୍ରାନ୍ସର ନିସ୍ ସହରରୁ ସ୍ଲୋଭାକିଆର ବ୍ରାଟିସଲାଭା ଅଭିମୁଖେ ଯାତ୍ରା କରିଛନ୍ତି। ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣ କ୍ରମେ ସେ ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ସେଠାରେ ରାଷ୍ଟ୍ରୀୟ ଗସ୍ତରେ ରହିବେ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ସୋସିଆଲ ମିଡିଆ ‘X’ ରେ ସୂଚନା ଦେଇଛି ଯେ, ଫ୍ରାନ୍ସ ଗସ୍ତ ଅତ୍ୟନ୍ତ ସଫଳ ରହିଛି ଏବଂ ଏଥିରେ ବିଶେଷ କରି ଇନୋଭେସନ ଓ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଦିଆଯାଇଛି।
ବିମାନ ବନ୍ଦରରୁ ପ୍ରସ୍ଥାନ କରିବା ପୂର୍ବରୁ ପିଏମ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, “ଭାରତ-ଫ୍ରାନ୍ସ ସାମରିକ ସମ୍ପର୍କ ଏକ ନୂତନ ଉଚ୍ଚତାକୁ ଛୁଇଁବ। ଆଗକୁ ଏଭିଆନ୍ ଏବଂ ପ୍ୟାରିସରେ ପୁଣି ଦେଖାହେବ।”ଏହାପୂର୍ବରୁ ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କକୁ ‘ସ୍ପେଶାଲ ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ (ବିଶେଷ ବିଶ୍ୱସ୍ତରୀୟ ରଣନୀତିକ ସାମୁଖ୍ୟ)କୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରତିରକ୍ଷା, ମହାକାଶ, ନିରାପତ୍ତା ଓ ଆତଙ୍କବାଦ ମୁକାବିଲା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି।ଏଥିସହ ଭାରତୀୟ ନାଗରିକଙ୍କ ପାଇଁ ଫ୍ରାନ୍ସ ବିମାନବନ୍ଦରଗୁଡ଼ିକରେ ଭିସା ମୁକ୍ତ ଟ୍ରାଞ୍ଜିଟ୍ ବ୍ୟବସ୍ଥା ଏବଂ ନୂତନ ଶିକ୍ଷା ନୀତି ଅଧୀନରେ ଫ୍ରାନ୍ସର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ ଖୋଲିବାକୁ ପିଏମ ମୋଦୀ ନିମନ୍ତ୍ରଣ କରିଛନ୍ତି।
ମଧ୍ୟାହ୍ନ ଭୋଜନ ସମୟରେ ପଶ୍ଚିମ ଏସିଆ ଓ ୟୁକ୍ରେନ ପରିସ୍ଥିତି ଏବଂ ଆଗାମୀ ଜି-୭ (G7) ସମ୍ମିଳନୀ ସମ୍ପର୍କରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି।




