ନୂଆଦିଲ୍ଲୀ: ନୀଟ୍-ୟୁଜି (NEET-UG 2026) ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ୧୦ ଜଣ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଦିଲ୍ଲୀର ରଅୁସ୍ ଆଭେନ୍ୟୁ କୋର୍ଟ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୋମବାର ହାଜତ ମିଆଦ ଶେଷ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।
ଏହା ସହିତ କୋର୍ଟ CBIକୁ ଜେଲ୍ ପରିସର ମଧ୍ୟରେ ଅଭିଯୁକ୍ତ ଶୁଭମ ଖୈରନାର, ମନୀଷା ୱାଘମାରେ ଏବଂ ଧନଞ୍ଜୟ ଲୋଖଣ୍ଡେଙ୍କୁ ଜୁନ୍ ୧୭ରୁ ୧୯ ମଧ୍ୟରେ ଜେରା କରିବାକୁ ଅନୁମତି ଦେଇଛନ୍ତି।ସିବିଆଇ ଅଭିଯୋଗ କରିଛି ଯେ, ଅଭିଯୁକ୍ତମାନେ ପରୀକ୍ଷା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଛାତ୍ରଛାତ୍ରୀଙ୍କୁ ସ୍ପେଶାଲ କ୍ଲାସରେ ପ୍ରଶ୍ନପତ୍ର ଘୋଷାଉଥିଲେ।
କେମିଷ୍ଟ୍ରି ପ୍ରଫେସର ପି.ଭି. କୁଲକର୍ଣ୍ଣୀ ଏହି ରାକେଟ୍ର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ। ଗତ ମେ ମାସରେ ହୋଇଥିବା ମୂଳ ପରୀକ୍ଷା ଲିକ୍ ଅଭିଯୋଗ ଯୋଗୁଁ ବାତିଲ ହେବା ପରେ, ଆସନ୍ତା ଜୁନ୍ ୨୧ ରେ ପୁନଃ ପରୀକ୍ଷା ହେବାକୁ ଯାଉଛି।ଏହି ପରୀକ୍ଷା ପାଇଁ କେନ୍ଦ୍ର ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ପ୍ରଶ୍ନପତ୍ରଗୁଡ଼ିକୁ ଭାରତୀୟ ବାୟୁସେନା ବିମାନ ଦ୍ୱାରା ପଠାଯିବ ଏବଂ କେନ୍ଦ୍ରଗୁଡ଼ିକରେ CRPF ଓ CISF ଯବାନ ମୁତୟନ ହେବେ। ନାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଚଳିତ ଥର ଅତିରିକ୍ତ ୧୫ ମିନିଟ୍ ସମୟ ମଧ୍ୟ ପ୍ରଦାନ କରାଯିବ।




