ଭୁବନେଶ୍ୱର:
ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରର ସଫଳ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଏହି ରାଜ୍ୟସ୍ତରୀୟ ମେଗା ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଏହି ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ୨୦ ତାରିଖରେ କାର୍ଯ୍ୟକ୍ରମ ନିମ୍ନମତେ ରହିବ:

ପୂର୍ବାହ୍ନ ୧୧:୦୫ ମିନିଟ୍: ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ହେଲିକପ୍ଟର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବ।
ପୂର୍ବାହ୍ନ ୧୧:୧୫ ମିନିଟ୍: ପାହାଡ଼ପୁରରେ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଗୋସାଣୀ ପୀଠ ମନ୍ଦିର ପରିଦର୍ଶନ କରି ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଏହାପରେ ସେ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ଉତ୍ସବର ମୁଖ୍ୟ ସମାରୋହରେ ଯୋଗଦେଇ ଜନସଭାକୁ ସମ୍ବୋଧିତ କରିବେ।
ଅପରାହ୍ନ ୦୨:୧୫ ମିନିଟ୍: ପ୍ରାୟ ୩ ଘଣ୍ଟାର କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡ଼ିବାର କାର୍ଯ୍ୟସୂଚୀ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶନ କରାଯିବ। ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ଏବଂ ସଫଳତାର ଚିତ୍ର ଏହି ସମାରୋହରେ ସ୍ଥାନ ପାଇବ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତି ବ୍ୟାପକ ଓ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସାରା ମୟୂରଭଞ୍ଜ ଜିଲ୍ଲାରେ ୧୫୦ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି। ହେଲିପ୍ୟାଡ୍, ମନ୍ଦିର ଏବଂ ସଭାସ୍ଥଳ ଚତୁଃପାର୍ଶ୍ୱରେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀମାନେ ନିୟୋଜିତ ରହି ସୁରକ୍ଷାର ପ୍ରତିଟି ଦିଗ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।