ନୂଆଦିଲ୍ଲୀ: କଫ୍ ସିରପ୍ (Cough Syrup) ବିକ୍ରିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡ୍ରଗ୍ସ ନିୟମାବଳୀ, ୧୯୪୫ (ପଞ୍ଚମ ସଂଶୋଧନ)ରେ ପରିବର୍ତ୍ତନ କରାଯାଇ ଛୋଟ ଗାଁଗୁଡ଼ିକରେ ବିନା ଲାଇସେନ୍ସରେ କଫ୍ ସିରପ୍ ବିକ୍ରି ଉପରେ ଥିବା ରିହାତିକୁ ସରକାର ହଟାଇ ଦେଇଛନ୍ତି। ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂତନ ବିଜ୍ଞପ୍ତି ଅନୁଯାୟୀ, ଡ୍ରଗ୍ସ ନିୟମାବଳୀର ‘ସେଡ୍ୟୁଲ୍ କେ’ରୁ ‘ସିରପ୍’ ଶବ୍ଦକୁ ବାଦ୍ ଦିଆଯାଇଛି। ପୂର୍ବରୁ ଥିବା ନିୟମ ଅନୁସାରେ, ୧,୦୦୦ରୁ କମ୍ ଜନସଂଖ୍ୟା ବିଶିଷ୍ଟ ଛୋଟ ଗ୍ରାମଗୁଡ଼ିକରେ କେତେକ ଖୁଚୁରା ବିକ୍ରି ଲାଇସେନ୍ସ ନିୟମ ପାଳନ ନକରି ମଧ୍ୟ କଫ୍ ସିରପ୍ ବିକ୍ରି କରିବାକୁ ଅନୁମତି ଥିଲା। କିନ୍ତୁ ଏହି ସଂଶୋଧନ ପରେ ଏହି ସ୍ୱତନ୍ତ୍ର ଛାଡ଼ ଆଉ ମିଳିବ ନାହିଁ। ବର୍ତ୍ତମାନଠାରୁ ଛୋଟ ଗାଁଗୁଡ଼ିକରେ ମଧ୍ୟ କଫ୍ ସିରପ୍ କେବଳ ବୈଧ ଲାଇସେନ୍ସପ୍ରାପ୍ତ ଫାର୍ମାସି ବା ଔଷଧ ଦୋକାନ ମାଧ୍ୟମରେ ହିଁ ବିକ୍ରି କରାଯାଇପାରିବ। ଏଥିସହ ଗ୍ରାହକମାନେ କଫ୍ ସିରପ୍ କିଣିବା ପାଇଁ ପଞ୍ଜୀକୃତ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦେଖାଇବା ଅନିର୍ବାର୍ଯ୍ୟ ଅଟେ।

ମନ୍ତ୍ରଣାଳୟ କହିଛି ଯେ, ସିରପ୍ ଜାତୀୟ ଔଷଧର ନିୟାମକ ନଜରକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ଦେଶରେ କଫ୍ ସିରପ୍‌ର ବେଆଇନ ବିକ୍ରି ଓ ଅପବ୍ୟବହାର ରୋକାଯାଇପାରିବ ଏବଂ ଦାୟିତ୍ୱବାନ ବିକ୍ରି ପ୍ରକ୍ରିୟାକୁ ପ୍ରୋତ୍ସାହନ ମିଳିବ। ସମସ୍ତ କଫ୍ ସିରପ୍ ନିର୍ମାତା, ବିତରକ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ, ୧୯୪୦ ର ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।