ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ନୂଆ ପାଠ୍ୟପୁସ୍ତକଗୁଡ଼ିକରେ ବ୍ୟାପକ ତ୍ରୁଟି ଚିହ୍ନଟ ହେବା ପରେ ଶିକ୍ଷା କ୍ଷେତ୍ରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ବହିଗୁଡ଼ିକରେ ମୋଟ 1,678ଟି ଭୁଲ୍ ଥିବା ସ୍ୱୀକାର କରାଯାଇଛି। କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ 705ଟି ତ୍ରୁଟି ରହିଛି।

ଏହି ବହିଗୁଡ଼ିକରେ ଅନେକ ବନାନ ଭୁଲ୍ ସହ ସଂଘାତିକ ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ‘ନିୟମଗିରି ପାହାଡ଼’କୁ ଝାଡ଼ଖଣ୍ଡରେ ଥିବା ଦର୍ଶାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ‘ବ୍ରହ୍ମପୁର ଜିଲ୍ଲା’ ଭାବେ ଉଲ୍ଲେଖ କରାଯାଇଛି।

ଜାତୀୟ ଶିକ୍ଷାନୀତି (NEP) ୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ଚିଠା ୨୦୨୫ ଆଧାରରେ SCERT ଓ ଶିକ୍ଷକ ବିଶେଷଜ୍ଞଙ୍କ ଦ୍ୱାରା ଏହି ପୁସ୍ତକଗୁଡ଼ିକ ୨୦୨-୨୭ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ସଂଘାତିକ ଭୁଲ୍ ପରେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ଏକ ଶୁଦ୍ଧିପତ୍ର ଜାରି କରାଯାଇଛି। ଶିକ୍ଷକମାନଙ୍କୁ ଶ୍ରେଣୀଗୃହରେ ଏହି ଭୁଲ୍‌ଗୁଡ଼ିକୁ ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ଏହାକୁ ‘ପରୀକ୍ଷାମୂଳକ ସଂସ୍କରଣ’ ବୋଲି କହୁଥିଲେ ହେଁ, ପୁସ୍ତକ ସମୀକ୍ଷା ଓ ମାନ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।