ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଂସ୍କାରକୁ ନେଇ ଭାରତ ବିଶ୍ୱ ମଞ୍ଚରେ ପୁଣି ଥରେ ଦୃଢ଼ ଦାବି ଉପସ୍ଥାପନ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ୍ ସୋମବାର ଆନ୍ତଃ-ସରକାରୀ ଆଲୋଚନା (IGN) ସମୟରେ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ସୁରକ୍ଷା ପରିଷଦର ସଂସ୍କାର କେବଳ ଅସ୍ଥାୟୀ ସଦସ୍ୟ ପଦର ସମ୍ପ୍ରସାରଣ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଯଦି ଏପରି ହୁଏ, ତେବେ ଏହା ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ ଏବଂ ଏକ ପ୍ରକାର ବିଫଳତା ସଦୃଶ ହେବ।

ପି. ହରିଶ୍ କହିଛନ୍ତି ଯେ କେବଳ ଅସ୍ଥାୟୀ ସଦସ୍ୟ ବଢ଼ାଇଲେ ପରିଷଦର ପୁରୁଣା କ୍ଷମତା ସଂରଚନାରେ କୌଣସି ପରିବର୍ତ୍ତନ ହେବ ନାହିଁ। ବରଂ ଏହା ଦ୍ୱାରା ପାଞ୍ଚଟି ସ୍ଥାୟୀ ସଦସ୍ୟ ଦେଶ (ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷ ଓ ଚୀନ)ର ପ୍ରଭାବ ପୂର୍ବପରି ବଜାୟ ରହିବ। ପ୍ରକୃତ ସଂସ୍କାର ପାଇଁ ସୁରକ୍ଷା ପରିଷଦରେ ନୂତନ ସ୍ଥାୟୀ ସଦସ୍ୟଙ୍କୁ ସାମିଲ କରିବା ନିହାତି ଜରୁରୀ।

ସଂସ୍କାର ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ସେ ସମାଲୋଚନା କରିଛନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଲୋଚନା ଶେଷ କରିବାକୁ କୋ-ଚେୟାରମ୍ୟାନଙ୍କୁ ଅନୁରୋଧ କରିଛନ୍ତି। ଇଟାଲୀ ଏବଂ ପାକିସ୍ତାନ ଭଳି ‘ୟୁନାଇଟିଂ ଫର କନସେନସସ’ (UFC) ଗ୍ରୁପ୍‌ର ଦେଶଗୁଡ଼ିକ ନୂତନ ସ୍ଥାୟୀ ସଦସ୍ୟ ପଦକୁ ବିରୋଧ କରୁଥିବା ବେଳେ ଭାରତ କହିଛି ଯେ ବର୍ତ୍ତମାନର ସଂରଚନା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପୁରୁଣା ବାସ୍ତବତା ଉପରେ ଆଧାରିତ। ଆଜିର ଭୂ-ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଷଦକୁ ଅଧିକ ସନ୍ତୁଳିତ ଏବଂ ସମାନତା ଭିତ୍ତିକ କରିବା ପାଇଁ ଭାରତ ଏହି ସ୍ଥାୟୀ ସଦସ୍ୟ ପଦ ସମ୍ପ୍ରସାରଣର ଦାବି କରୁଛି।