ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ବୁଧବାର ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୩ ଜଣ ହାର୍ଡକୋର ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ୨୬ଟି ବେଆଇନ ବଙ୍କରକୁ ସୁରକ୍ଷାକର୍ମୀମାନେ ଧ୍ୱଂସ କରିଦେଇଛନ୍ତି।ପୋଲିସ ସୂଚନା ଅନୁଯାୟୀ, ପଶ୍ଚିମ ଇମ୍ଫାଲ ଜିଲ୍ଲାରୁ ପ୍ରତିବନ୍ଧିତ ସଂଗଠନ ‘ପିପୁଲ୍ସ ଲିବରେସନ ଆର୍ମି’ (PLA) ଏବଂ ଏହାର ସହଯୋଗୀ ସଂଗଠନ RPFର ୩ ଜଣ ସକ୍ରିୟ କ୍ୟାଡରଙ୍କୁ ଗିରଫ କରାଯାଇଛି। ଏହି ସନ୍ତ୍ରାସବାଦୀମାନେ ରାଜ୍ୟରେ ଏକାଧିକ ହିଂସାକାଣ୍ଡ ଏବଂ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିଲେ।

ଅନ୍ୟପଟେ କାମଜୋଙ୍ଗ ଏବଂ ଉଖ୍ରୁଲ୍ ଜିଲ୍ଲାରେ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ନିର୍ମିତ ୨୬ଟି ବେଆଇନ ବଙ୍କରକୁ ସୁରକ୍ଷାକର୍ମୀ ଧ୍ୱଂସ କରିଛନ୍ତି। ସେଠାରୁ ବାଇନୋକୁଲାର, ବିପୁଳ ପରିମାଣର ଗୁଳି ଏବଂ ବନ୍ଧୁକ ଜବତ କରାଯାଇଛି। ଚୁରାଚାନ୍ଦପୁର ଜିଲ୍ଲାର ମୋଲନୋମ ଗ୍ରାମରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ପାଖରୁ ପ୍ରାୟ ୨ କିଲୋଗ୍ରାମ ସନ୍ଦିଗ୍ଧ ମର୍ଫିନ୍ ଜବତ କରିଛି। ସେହିପରି ପୂର୍ବ ଇମ୍ଫାଲରୁ ଜଣେ ବ୍ୟକ୍ତିଙ୍କୁ ପିସ୍ତଲ ଓ ଗୁଳି ସହ ଗିରଫ କରାଯାଇଛି।

କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ ଥୌବାଲ ଭଳି ଅତି ସମ୍ବେଦନଶୀଳ ଅଞ୍ଚଳରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ ଜାରି ରହିଛି। ମଣିପୁର ପୋଲିସ ମହାନିର୍ଦ୍ଦେଶକ (DGP) ମୁକେଶ ସିଂ ନିଜେ ଏହି ସମଗ୍ର ଅଭିଯାନର ତଦାରଖ କରୁଛନ୍ତି। ଗତ ଜୁନ୍ ୧୫ରେ କାଙ୍ଗପୋକପିରେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ କୁକି ଜନଜାତିର ଯୁବକ ଆହତ ହୋଇଥିଲେ। ସେମାନଙ୍କ ଚିକିତ୍ସାକୁ ନେଇ ଇମ୍ଫାଲର ରିମ୍ସ (RIMS) ହସ୍ପିଟାଲ ବାହାରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।