ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ସରକାରୀ ଯୋଜନା ଓ ତାର ବାସ୍ତବ କାର୍ଯ୍ୟକାରିତା ମଧ୍ୟରେ ଥିବା ବଡ଼ ଫରକ ପୁଣି ଥରେ ପଦାରେ ପଡ଼ିଛି। ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିବା ଏକ ସତ୍ୟପାଠ କୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ ସୁବର୍ଣ୍ଣପୁରର ଏକ ଅସହାୟ ପରିବାରକୁ ସମସ୍ତ ସରକାରୀ ସୁବିଧା ମିଳୁଛି, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୋନପୁର ଜିଲ୍ଲାର ଜପା ଭୂଏଙ୍କ ପରିବାରର ଦୁର୍ଦ୍ଦଶା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲେ। ପରିବାରର ବୃଦ୍ଧା ଓ ଦୃଷ୍ଟିବାଧିତ ସଦସ୍ୟମାନେ ଚରମ ଦୁର୍ଦ୍ଦଶାରେ ଦିନ କାଟୁଥିବା ଖବର ପାଇ କୋର୍ଟ ଏକ ସ୍ୱତଃପ୍ରବୃତ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଦାବି କରିଥିଲେ ଯେ, ଜପା ଭୂଏଙ୍କ ପରିବାରକୁ ନିୟମିତ ମାଗଣା ଚାଉଳ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯାଉଛି।
କିନ୍ତୁ ସରକାରଙ୍କ ଏହି ଦାବିକୁ ଭୁଲ୍ ବୋଲି କହିଛନ୍ତି ଜପା ଭୂଏଙ୍କ ପରିବାର। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଯୋଜନା ଅଧୀନରେ ସେମାନଙ୍କୁ ନିୟମିତ ଭାବେ କୌଣସି ଚାଉଳ କିମ୍ବା ଆନୁଷଙ୍ଗିକ ସୁବିଧା ମିଳିନାହିଁ। କାଗଜପତ୍ରରେ ସରକାର ସବୁ ଠିକ୍ ଦେଖାଉଥିବା ବେଳେ ବାସ୍ତବରେ ପରିବାରଟି ଆଜି ବି ଅସହାୟ ଅବସ୍ଥାରେ ଅଛି।
ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଓ ହସ୍ତକ୍ଷେପ ପରେ ଗତକାଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ହଠାତ୍ ଜପା ଭୂଏଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନର ଏହି ତତ୍ପରତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
- ଯଦି ପରିବାରକୁ ପୂର୍ବରୁ ସବୁ ସରକାରୀ ସୁବିଧା ମିଳୁଥିଲା, ତେବେ କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ କାହିଁକି ଅଧିକାରୀମାନେ ଦୌଡ଼ିଲେ?
- ସୁପ୍ରିମକୋର୍ଟରେ ମିଛ ସତ୍ୟପାଠ ଦେଇ ପ୍ରଶାସନ ନିଜର ଦୋଷ ଲୁଚାଇବାକୁ ଚେଷ୍ଟା କରୁଥିଲା କି?
ଜପା ଭୂଏଙ୍କ ପରିବାରର ଏହି ଘଟଣା ପ୍ରମାଣିତ କରୁଛି ଯେ ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ କେତେ ଶିଥିଳ। ବର୍ତ୍ତମାନ କୋର୍ଟରେ ସରକାରଙ୍କ ଏହି ମିଛ ଦାବି ପଦାରେ ପଡ଼ିବା ପରେ ସର୍ବୋଚ୍ଚ ଅଦାଲତ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।




