ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଏକ ଅତି ନିଷ୍ଠୁର ତଥା ମାନବିକତାକୁ ଦୋହଲାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ତାଙ୍କ ନିଜ ନାତି ଜଙ୍ଗଲରେ ବେସହାରା ଭାବେ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏହି ବୃଦ୍ଧା ଜଣକ ହେଉଛନ୍ତି ବାଙ୍ଗିରିପୋଷି ବ୍ଲକ କାନ୍ଦୋଳିଆ ଗ୍ରାମର ରୁକ୍ମଣୀ ପାତ୍ର। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ସେବା ଆବଶ୍ୟକ କରୁଥିବା ବେଳେ ତାଙ୍କୁ ଏଭଳି ଅମାନୁଷିକ ଭାବେ ପରିତ୍ୟାଗ କରାଯାଇଛି।
ରିପୋର୍ଟ ଅନୁଯାୟୀ, ରୁକ୍ମଣୀ ତାଙ୍କ ପୁଅ ଗୋଲକ ଚନ୍ଦ୍ର ପାତ୍ରଙ୍କ ସହ ରହୁଥିଲେ। ମାତ୍ର ତାଙ୍କ ନାତି ତପନ କୁମାର ପାତ୍ର ବୃଦ୍ଧା ଆଈଙ୍କ ଦେଖାଶୁଣା କରିବାକୁ ବୋଝ ମଣି ତାଙ୍କୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ। ଜଙ୍ଗଲ ଭିତରେ ଅସହାୟ ଓ ଦୁର୍ବଳ ଅବସ୍ଥାରେ ବୃଦ୍ଧା ଜଣକ ପଡ଼ି ରହିଥିବା ଦେଖି ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବୋଧ ମାରାଣ୍ଡି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଏକ ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରିଛି। ସେଠାରେ ବର୍ତ୍ତମାନ ତାଙ୍କର ଯତ୍ନ ଓ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି। ଅନ୍ୟପଟେ, ପୋଲିସ ଅଭିଯୁକ୍ତ ନାତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏହି ସ୍ପର୍ଶକାତର ଘଟଣାଟି ଗ୍ରାମାଞ୍ଚଳରେ ବୃଦ୍ଧବୃଦ୍ଧାଙ୍କ ସ୍ଥିତି ଏବଂ ପାରିବାରିକ ସମ୍ପର୍କର ଅବକ୍ଷୟକୁ ନେଇ ସମାଜରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମୟୋଚିତ ସହାୟତା ପାଇଁ ବୃଦ୍ଧାଙ୍କ ଜୀବନ ରକ୍ଷା ପାଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।




