ନୂଆଦିଲ୍ଲୀ: ନିଟ୍–ୟୁଜି ପୁନଃ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ନିଷେଧାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଟେଲିଗ୍ରାମ୍ ପକ୍ଷରୁ ଦାଖଲ ଆବେଦନ ଆଧାରରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିବାବେଳେ ତୁରନ୍ତ କୌଣସି ଅନ୍ତରୀଣ ଆଶ୍ୱସ୍ତି ଦେଇନାହାନ୍ତି।
ସୂଚନା ଅନୁଯାୟୀ, ନିଟ୍–ୟୁଜି ପୁନଃ ପରୀକ୍ଷା ସମୟରେ ସ୍ୱଚ୍ଛତା ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଟେଲିଗ୍ରାମ୍ ଆପ୍ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲାଗୁ କରିଥିବା କୁହାଯାଇଛି। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମ୍ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା।
ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କ ମତ ଜାଣିବା ପାଇଁ ନୋଟିସ୍ ଜାରି କରିଥିଲେ। ସରକାର ପକ୍ଷରୁ ଜବାବ ଦାଖଲ ପାଇଁ ଅତିରିକ୍ତ ସମୟ ଚାହିଁବା ପରେ ଜଷ୍ଟିସ୍ ତେଜସ କାରିଆ ଅନୁମତି ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଅପରାହ୍ନରେ ଧାର୍ଯ୍ୟ କରାଯାଇଛି।
ଶୁଣାଣି ବେଳେ କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଟେଲିଗ୍ରାମ୍କୁ ନେଇ ନିଆଯାଇଥିବା ପଦକ୍ଷେପ କେତେ ଯୁକ୍ତିସଙ୍ଗତ। ଏହାର ଜବାବରେ ସରକାର ପକ୍ଷରୁ କୁହାଯାଇଥିଲା ଯେ ପ୍ଲାଟଫର୍ମକୁ ବହୁବାର ନିଜ ବ୍ୟବସ୍ଥା ସୁଦୃଢ଼ କରିବାକୁ କୁହାଯାଇଥିଲା, କିନ୍ତୁ ଆବଶ୍ୟକ ସୁଧାର ହୋଇନଥିବାରୁ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଘଟିଥିବା ସରକାର ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଟେଲିଗ୍ରାମ୍ ପକ୍ଷରୁ ଏହି ପଦକ୍ଷେପକୁ ବିରୋଧ କରାଯାଇଛି। ପ୍ଲାଟଫର୍ମର ମତ ହେଉଛି, କିଛି ବ୍ୟକ୍ତିଙ୍କ କାର୍ଯ୍ୟ ପାଇଁ ସମସ୍ତ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବା ଉଚିତ ନୁହେଁ ଏବଂ ଏଭଳି ନିଷେଧାଦେଶ ମାତ୍ରରେ ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାର ସମାଧାନ ହେବ ନାହିଁ।
ଏବେ କେନ୍ଦ୍ର ସରକାରଙ୍କ ବିସ୍ତୃତ ଜବାବ ଏବଂ ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି।




