କୋଚି: କେରଳ ଦେଇ ଚାଲିଥିବା ଏକ ଅନ୍ତର୍ଜାତୀୟ ଅଙ୍ଗ ଚୋରା ଚାଲାଣ ନେଟୱର୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜର ତଦନ୍ତକୁ ଆହୁରି ଜୋରଦାର କରିଛି। ଗୁରୁବାର ଦିନ ଇଡି ପକ୍ଷରୁ କୋଚିର ପ୍ରତିଷ୍ଠିତ ବେସରକାରୀ କର୍ପୋରେଟ୍ ହସ୍ପିଟାଲ ଏବଂ ସନ୍ଦିଗ୍ଧ ମଧ୍ୟସ୍ଥିମାନଙ୍କ ବାସଭବନ ସମେତ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।
ମଧ୍ୟସ୍ଥିମାନଙ୍କ ଜରିଆରେ ଅଙ୍ଗଦାତା ଏବଂ ଗ୍ରହୀତାଙ୍କ ମଧ୍ୟରେ ବେଆଇନ କାରବାର ଓ ଏହା ପଛରେ ଥିବା ମନି ଲଣ୍ଡରିଂ (ଅର୍ଥ ହେରଫେର) ମାମଲାର ଯାଞ୍ଚ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଗୁରୁବାର ସକାଳୁ ଇଡିର ଅଲଗା ଅଲଗା ଟିମ୍ ଏହି ଚଢ଼ାଉ ଆରମ୍ଭ କରିଥିଲେ। କୋଚିର କର୍ପୋରେଟ୍ ହସ୍ପିଟାଲ ବ୍ୟତୀତ କୋଲ୍ଲାମରେ ଜଣେ ମହିଳାଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି, ଯିଏକି ଏହି ର଼୍ୟାକେଟ୍ର ମୁଖ୍ୟ ମଧ୍ୟସ୍ଥି ବୋଲି ସନ୍ଦେହ କରାଯାଉଛି।
ଏହାସହ ଗତ ମାସରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଗିରଫ ହୋଇଥିବା କାସରଗୋଡ଼ର ଜଣେ ବ୍ୟକ୍ତି ଓ ତାଙ୍କ ସହଯୋଗୀଙ୍କ ବାସଭବନରେ ମଧ୍ୟ ଖାନତଲାସି କରାଯାଇଛି।ଏହି ବେଆଇନ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାରେ ମଧ୍ୟସ୍ଥିମାନେ ବିପୁଳ ପରିମାଣର କମିଶନ ନେଉଥିବା ଇଡି ସନ୍ଦେହ କରୁଛି। ତେଣୁ ଏହି କାରବାରର ଆର୍ଥିକ ମନି ଟ୍ରେଲ୍ (ଟଙ୍କାର ଉତ୍ସ) ଖୋଜିବା ପାଇଁ ଇଡି ଅଧିକାରୀମାନେ ଜବତ ହୋଇଥିବା ଆର୍ଥିକ କାରବାରର ଦଲିଲ, ଡିଜିଟାଲ୍ ରେକର୍ଡ ଏବଂ ଇନଭଏସଗୁଡ଼ିକୁ ଯାଞ୍ଚ କରୁଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ର଼୍ୟାକେଟ୍ ଅତ୍ୟନ୍ତ ସଂଗଠିତ ଭାବେ କାମ କରୁଥିଲା। ଅଙ୍ଗ ପ୍ରତିରୋପଣ ପାଇଁ ହସ୍ପିଟାଲର ନକଲି ଲେଟରହେଡ୍, ଜାଲ୍ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ ଏବଂ ଜନପ୍ରତିନିଧି ତଥା ବରିଷ୍ଠ ଅଧିକାରୀଙ୍କ ନକଲି ଦସ୍ତଖତ ଥିବା ସୁପାରିଶ ପତ୍ର ପ୍ରସ୍ତୁତ କରାଯାଉଥିଲା। ଏହିପରି ଏକ ସମ୍ବେଦନଶୀଳ ଏବଂ ନିୟନ୍ତ୍ରିତ ଚିକିତ୍ସା କ୍ଷେତ୍ରରେ କିଭଳି ଏହି ଜାଲ୍ ଦଲିଲଗୁଡ଼ିକ ଯାଞ୍ଚ ପ୍ରକ୍ରିୟାରୁ ପାସ୍ ହୋଇଯାଉଥିଲା, ସେ ନେଇ ଇଡି ଆଶ୍ଚର୍ଯ୍ୟ ପ୍ରକଟ କରିଛି।
ବର୍ତ୍ତମାନ ଏହି ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷ, ସମ୍ପୃକ୍ତ ଡାକ୍ତର ଏବଂ ମଧ୍ୟସ୍ଥିମାନଙ୍କ ଭୂମିକାକୁ ନେଇ ପିଏମଏଲଏ (PMLA) ଆକ୍ଟ ଅଧୀନରେ ତଦନ୍ତ ଚାଲିଛି।




