ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେଇଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT) ର ୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ବିଦ୍ରୋହ କରି ଦଳର ହ୍ୱିପ୍ ଅମାନ୍ୟ କରିଛନ୍ତି। ଏକନାଥ ସିନ୍ଦେ ଗୋଷ୍ଠୀର ଗୁପ୍ତ ଯୋଜନା “ଅପରେସନ ଟାଇଗର” ସଫଳ ହେବା ପରେ ଏହି ସ୍ଥିତି ଉପୁଜିଛି।
ସଂସଦ ଭବନରେ ଡକାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଏହି ୬ ସାଂସଦ ସମ୍ପୂର୍ଣ୍ଣ ବର୍ଜନ କରିଛନ୍ତି।ସୂଚନା ଅନୁଯାୟୀ, ବିଦ୍ରୋହୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଭାବେ ମାନ୍ୟତା ପାଇଁ ଆବେଦନ କରିଛନ୍ତି, ଯାହା ଦ୍ୱାରା ସେମାନେ ଆନୁଷ୍ଠାନିକ ଭାବେ ଏକନାଥ ସିନ୍ଦେଙ୍କ ଶିବସେନା ସହ ମିଶିପାରିବେ। ଏହି ସାଂସଦମାନଙ୍କ କହିବା ଅନୁସାରେ, ବର୍ତ୍ତମାନର ଦଳୀୟ ନେତୃତ୍ୱ ବାଲାସାହେବ ଠାକରେଙ୍କ ମୂଳ ହିନ୍ଦୁତ୍ୱ ବିଚାରଧାରାରୁ ଦୂରେଇ ଯାଇଛି ଏବଂ କଂଗ୍ରେସ ସହ ଦଳର ସମ୍ପୂର୍ଣ୍ଣ ମିଶ୍ରଣ ହେବାର ଆଶଙ୍କା ରହିଛି।
ସାଂସଦ ସଞ୍ଜୟ ଜାଧବ ଏହି ନୂତନ ଗୋଷ୍ଠୀର ନେତୃତ୍ୱ ନେଇପାରନ୍ତି। ଅନ୍ୟପଟେ, ସଞ୍ଜୟ ରାଉତଙ୍କ ଧମକପୂର୍ଣ୍ଣ ବୟାନ ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ‘ୱାଇ-ପ୍ଲସ’ (Y-Plus) ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କ ବାସଭବନ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।ଏହି ସଂକଟ ପରେ ଶିବସେନା (UBT) ପକ୍ଷରୁ ଅନୁପସ୍ଥିତ ସାଂସଦମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଯଦି ସେମାନେ ଉପଯୁକ୍ତ ଜବାବ ନଦିଅନ୍ତି, ତେବେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ସେମାନଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ। କିନ୍ତୁ ସିନ୍ଦେ ଗୋଷ୍ଠୀର ଦାବି ଯେ, ଏହି ୬ ସାଂସଦ ଦଳର ମୋଟ ସଂଖ୍ୟାର ଦୁଇ-ତୃତୀୟାଂଶ (୨/୩) ହୋଇଥିବାରୁ ସେମାନଙ୍କ ଉପରେ ଦଳବଦଳ ଆଇନ ଲାଗୁ ହେବ ନାହିଁ। ଜୁନ୍ ୧୯ ଶିବସେନାର ପ୍ରତିଷ୍ଠା ଦିବସ ଥିବାରୁ ଏହା ପୂର୍ବରୁ ଏହି ବଡ଼ ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି।




