ଭୁବନେଶ୍ୱର: ସରକାରୀ ଡାକ୍ତରୀ ଶିକ୍ଷା ପାଇଁ ସରକାର ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଥିବାବେଳେ ସେହି ସୁବିଧା ପାଇ ମଧ୍ୟ କେତେକ ଡାକ୍ତର ସରକାରୀ ସେବାରୁ ଦୂରେଇ ରହୁଥିବା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଥିବା ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନଙ୍କ ବିରୋଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ସରକାରୀ ଖର୍ଚ୍ଚରେ ଏମ୍ବିବିଏସ୍ ପଢ଼ିବା ଓ ଇଣ୍ଟର୍ନସିପ୍ ସମାପ୍ତ କରିବା ପରେ ଡାକ୍ତରମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟ କରିବା ନିୟମ ରହିଛି। କିନ୍ତୁ ଅନେକ ନିଯୁକ୍ତି ପାଇବା ପରେ ମଧ୍ୟ ସରକାରୀ ହସ୍ପିଟାଲରେ କାମ ନକରି ଘରୋଇ ଚିକିତ୍ସା କିମ୍ବା ବ୍ୟକ୍ତିଗତ ପ୍ରାକ୍ଟିସରେ ନିୟୋଜିତ ହେଉଥିବା ଅଭିଯୋଗ ରହିଛି।
ରାଜ୍ୟର ବିଭିନ୍ନ ପିଏଚ୍ସି, ସିଏଚ୍ସି ଓ ଜିଲ୍ଲା ଚିକିତ୍ସାଳୟରେ ନିଯୁକ୍ତ ଥିବା ୧୨୮ ଜଣ ଡାକ୍ତର ପ୍ରାୟ ୫ ବର୍ଷ ଧରି କାର୍ଯ୍ୟରେ ଯୋଗ ଦେଇନଥିବା କିମ୍ବା ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ ବାରମ୍ବାର ନୋଟିସ୍, ସତର୍କବାଣୀ ଏବଂ ଖବରକାଗଜରେ ସୂଚନା ପ୍ରକାଶ କରାଯାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନଥିଲା।
ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଚାକିରି ମଧ୍ୟ ଯାଇପାରେ ବୋଲି ସୂଚନା ମିଳିଛି।
ଏହି ପ୍ରସଙ୍ଗରେ କନ୍ଧମାଳ ପୁଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ସରକାରୀ ସେବାରୁ ବହିଷ୍କୃତ କରାଯାଇଛି। ସେ ୨୦୧୨ ମସିହାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଥିବା ଅଭିଯୋଗ ରହିଛି। ବିଭାଗ ପକ୍ଷରୁ ବାରମ୍ବାର କାରଣ ଦର୍ଶାଇବାକୁ କୁହାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟରେ ନୂଆ ଡାକ୍ତରଖାନା, ମେଡିକାଲ କଲେଜ ଏବଂ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଗଢ଼ାଯାଉଛି। ଏପରି ସମୟରେ ସରକାରୀ ଦାୟିତ୍ୱ ପାଳନ ନକରି ଅନୁପସ୍ଥିତ ରହିବାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ।




