କାଳିଆପାଣି: ଜନସେବା କେନ୍ଦ୍ର ଚଳାଇ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଜିତିଥିଲେ, କିନ୍ତୁ ପରେ ସେହି ବିଶ୍ୱାସକୁ ଅସ୍ତ୍ର କରି ଲକ୍ଷାଧିକ ଟଙ୍କା ଠକି ଫେରାର ହୋଇଯାଇଥିଲେ। ଶେଷରେ ପ୍ରାୟ ୭ ମାସର ଲୁଚକାଳି ପରେ ଯାଜପୁର ଜିଲ୍ଲାର ଜଣେ ଯୁବକ ପୁଲିସ ଜାଲରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତର କରଡ଼ାଗାଡ଼ିଆ ଗାଁର ଦୀପକ କୁମାର ମହାନ୍ତ ଓରଫ୍ ଟୁଲୁ (୨୩) ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ୨୦ରୁ ଅଧିକ ଲୋକଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ଠକି ନେଇ ଫେରାର ହୋଇଯାଇଥିଲେ।
ଅଭିଯୋଗ ରହିଛି ଯେ, ଠକେଇ ପରେ ସେ ରାଜ୍ୟ ବାହାରେ ଆତ୍ମଗୋପନ କରିଥିଲେ। ପରେ ଗତ ମାର୍ଚ୍ଚ ୨୯ରେ ତାଳଚେରକୁ ଆସି ଏକ ବେସରକାରୀ କୋରିଅର ସଂସ୍ଥାରେ ସୁପରଭାଇଜର ଭାବେ କାମ ଆରମ୍ଭ କରିଥିଲେ। ସେଠାରେ ମଧ୍ୟ କମ୍ପାନିର ନଗଦ ଟଙ୍କା ଓ ବାଇକ୍ ନେଇ ଫେରାର ହୋଇଥିବା ଅଭିଯୋଗ ରହିଛି।
ତାଳଚେର ଟାଉନ ପୁଲିସ ମାମଲାର ତଦନ୍ତ କରି ଗତ ୧୪ ତାରିଖ ରାତିରେ ପୁରୀରୁ ଅଭିଯୁକ୍ତକୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ବର୍ତ୍ତମାନ ତାଳଚେର ଜେଲ୍ରେ ଅଛନ୍ତି।
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଠକେଇ ଯୋଜନାରେ ଅନେକ ଲୋକଙ୍କ ସହ ସମ୍ପର୍କ ଗଢ଼ି ଟଙ୍କା ସଂଗ୍ରହ କରୁଥିଲେ। ଜଣେ ବିଧବା ମହିଳାଙ୍କଠାରୁ ସର୍ବାଧିକ ୧୩.୭୬ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି।
ଅନ୍ୟପକ୍ଷରେ ଅଭିଯୋଗକାରୀମାନେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ମାମଲା ରୁଜୁ ହୋଇନଥିବା ଅଭିଯୋଗ କରିଛନ୍ତି। ପରେ ସାଇବର ଥାନାରେ ଏତଲା ହେବା ପରେ କାଳିଆପାଣି ଥାନାରେ ମାମଲା ରୁଜୁ ହୋଇଥିଲା।
ପୁଲିସ କହିଛି, ଅଭିଯୁକ୍ତଙ୍କୁ ଶୀଘ୍ର ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ଏବଂ ଠକେଇ ଟଙ୍କାର ଲେନଦେନ ସହ ଅନ୍ୟ କୌଣସି ଲିଙ୍କ୍ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।




