ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଭାବପୂର୍ଣ୍ଣ ସ୍ୱାଗତ ଭାଷଣ ଦେଇଛନ୍ତି। ଦେଶର ଦୁଇ ଶୀର୍ଷ ନେତାଙ୍କ ଏକାଠି ଉପସ୍ଥିତିକୁ ସେ ଓଡ଼ିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ବର୍ଣ୍ଣନା କରିଛନ୍ତି।
ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ୬୮ତମ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ମୟୂରଭଞ୍ଜର ଏକ ଆଦିବାସୀ ଗ୍ରାମରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ଏବଂ ଦେଶର ମହିଳାମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ଏଥିସହ ଓଡ଼ିଶା ପ୍ରତି ସଦାସର୍ବଦା ସହଯୋଗର ହାତ ବଢ଼ାଉଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ।
ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା, ଚାଷୀ ଓ ବରିଷ୍ଠ ନାଗରିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ କେଜି (KG) ରୁ ପିଜି (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟରେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପ ଦ୍ୱାରା ୨.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ଯାହା ଓଡ଼ିଶାକୁ ‘ଓଲଟା ପ୍ରବାସନ’ (Reverse Migration) ଆଡ଼କୁ ନେଇଯିବ ଏବଂ ବାହାର ରାଜ୍ୟର ଲୋକେ ଏଠାକୁ କାମ କରିବାକୁ ଆସିବେ। ଡବଲ୍-ଇଞ୍ଜିନ ସରକାରଙ୍କ ଅଧୀନରେ ରେଳ, ସଡ଼କ ଓ ବନ୍ଦର ଭଳି ଭିତ୍ତିଭୂମିର ବିକାଶ ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ଦୋହରାଇଛନ୍ତି।




