ରାଉରକେଲା: ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟ ଜଙ୍ଗଲରେ ତୋଫାନ ବିନ୍ଧାଣିଙ୍କ ହତ୍ୟା ମାମଲାରେ ରାଉରକେଲା ପୁଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ (୩୦) ଓରଫ ନଣ୍ଡା ଏବଂ ଚିନୁ ହରିପ୍ପା (୨୩)ଙ୍କୁ ଶନିବାର ଭୋର ସମୟରେ ଝିରପାଣି ଥାନା ଅଞ୍ଚଳର ଝରିଆଟୋଲାରୁ କାବୁ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ପୁଲିସ ନଜରରୁ ବଞ୍ଚିବା ପାଇଁ ଝିରପାଣି ଅଞ୍ଚଳରେ ଲୁଚି ରହିଥିଲେ। ସୂଚନା ମିଳିବା ପରେ ଶନିବାର ଭୋର ପ୍ରାୟ ୩ଟା ସମୟରେ ପୁଲିସ ଚଢ଼ାଉ କରିଥିଲା। ଅଭିଯୁକ୍ତମାନଙ୍କୁ କାବୁ କରିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

ପୁଲିସ ଦାବି ଅନୁଯାୟୀ, ପୁଲିସକୁ ଦେଖି ନଣ୍ଡା ଓ ଚିନୁ ପଳାଇବାକୁ ଉଦ୍ୟମ କରିବା ସହ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଜବାବରେ ପୁଲିସ ୪ ରାଉଣ୍ଡ ଗୁଳି ଚଳାଇଥିଲା। ଅଭିଯୁକ୍ତଙ୍କ ଗୁଳି ପୁଲିସକୁ ଛୁଇଁ ନଥିବାବେଳେ ପୁଲିସ ଗୁଳି ଉଭୟଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ପରେ ସେମାନଙ୍କୁ କାବୁ କରି ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା।

ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ତିନି ଅଭିଯୁକ୍ତ ହେଲେ କବିସମ୍ରାଟପାଲିର ରୋହିତ ମୁଖୀ (୩୨), ଗଞ୍ଜାମପାଲି ବସ୍ତିର ରୋହିତ ହରିପ୍ପା (୨୪) ଓ ଝିରପାଣି ଅଞ୍ଚଳର ମୂଳବାସିନ୍ଦା ତଥା ବୀର ସୁରେନ୍ଦ୍ର ସାଏପାଲିର ଜନସନ ନାଗ (୨୬)।

ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ମାଗାଜିନ, ଗୋଟିଏ ଗୁଳି ଜବତ ହୋଇଛି। ଏହାସହ ପୂର୍ବରୁ ଘଟଣାସ୍ଥଳରୁ ୨ଟି ଟାଙ୍ଗିଆ, ଗୋଟିଏ ଫାର୍ସା ଏବଂ ୩ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିଲା।

ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ନଣ୍ଡା ଓ ଚିନୁ ସୁସ୍ଥ ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୋଫାନ ବିନ୍ଧାଣିଙ୍କୁ ହତ୍ୟା କରାଯାଇଥିଲା। ମାମଲାର ତଦନ୍ତ ଜାରି ରହିଛି।