ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ବାହାର ରାଜ୍ୟର ଜଣେ ଯୁବତୀଙ୍କ ସହ ଘଟିଥିବା ଅମାନବୀୟ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ସେ ଘଟଣାକୁ ଜଘନ୍ୟ, ବର୍ବର ଓ ମାନବିକତା ବିରୋଧୀ ବୋଲି ବର୍ଣ୍ଣନା କରିବା ସହ ପୀଡ଼ିତାଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରତିକ୍ରିୟା ରଖି ନବୀନ ପଟ୍ଟନାୟକ କହିଛନ୍ତି ଯେ, ସର୍ବସମ୍ମୁଖରେ ଜଣେ ଯୁବତୀଙ୍କ ସହ ହୋଇଥିବା ଏଭଳି ଅମାନବୀୟ ବ୍ୟବହାର କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ସମାଜର ମୂଲ୍ୟବୋଧ ଓ ରାଜ୍ୟର ସମ୍ମାନ ଉପରେ ଗଭୀର ପ୍ରଶ୍ନ ସୃଷ୍ଟି କରୁଛି।
ସେ ପ୍ରଶ୍ନ କରିଛନ୍ତି, ଏଭଳି ଘଟଣା ଘଟିବା ପରେ ସରକାର କାହିଁକି ତୁରନ୍ତ ଏବଂ ଦୃଢ଼ ପଦକ୍ଷେପ ନେଉନାହାନ୍ତି? ରାଜ୍ୟର ଛବି କଳୁଷିତ ହେଉଥିବାବେଳେ ପ୍ରଶାସନ କାହିଁକି ନିରବ? ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା କି ସରକାରଙ୍କ ପ୍ରାଥମିକ ଦାୟିତ୍ୱ ନୁହେଁ ବୋଲି ସେ ପଚାରିଛନ୍ତି।
ନବୀନ ଆହୁରି କହିଛନ୍ତି ଯେ, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ଅବନତିକୁ ନେଇ ରାଜ୍ୟ ନେଇ ନକାରାତ୍ମକ ଚର୍ଚ୍ଚା ବଢ଼ୁଥିବା ବେଳେ ସରକାର ବିକାଶର ପ୍ରଚାରରେ ବ୍ୟସ୍ତ ରହିବା ଉଚିତ୍ ନୁହେଁ। ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେଇ ମହିଳାଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପୁନଃ ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ବାହାର ରାଜ୍ୟର ଜଣେ ଯୁବତୀଙ୍କୁ ‘ପିଲା ଚୋର’ ସନ୍ଦେହରେ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଘଟଣାରେ ଜଣେ ସାମାଜିକ କର୍ମୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଏହି ମାମଲାରେ ପୁଲିସ ୩ଟି ପୃଥକ ମାମଲା ରୁଜୁ କରିଥିବାବେଳେ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।




