ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଏକ ନୂଆ ରାଜନୈତିକ ଦାବି ସାମ୍ନାକୁ ଆସିଛି। ବରିଷ୍ଠ ସାମ୍ବାଦିକ ରସିଦ୍ କିଦୱାଇ ଦାବି କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁ ଅଧିକାରୀ କଂଗ୍ରେସରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ।
ଏକ ପଡକାଷ୍ଟ ସାକ୍ଷାତକାରରେ କିଦୱାଇ କହିଛନ୍ତି ଯେ, ସେ ସମୟରେ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଓ ମମତା ବାନାର୍ଜୀଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୁଷ୍ଟ ଥିଲେ। ଏହି ପରିପ୍ରେକ୍ଷୀରେ ସେ କଂଗ୍ରେସରେ ଯୋଗଦେବା ନେଇ ଆଲୋଚନା କରିଥିବା ଦାବି କରାଯାଇଛି।
କିଦୱାଇଙ୍କ ଅନୁସାରେ, ଶୁଭେନ୍ଦୁ ଅଧିକାରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ପଶ୍ଚିମବଙ୍ଗରେ ଦଳର ପ୍ରମୁଖ ଚେହେରା ଭାବେ କାମ କରିବା ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେତେବେଳେ କଂଗ୍ରେସ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିନଥିଲା ବୋଲି ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଏଭଳି ପରିସ୍ଥିତି ତାମିଲନାଡୁର ରାଜନୀତି ସହ ମଧ୍ୟ ଜଡିତ ଥିଲା ଏବଂ ଅଭିନେତା-ରାଜନେତା ବିଜୟ ମଧ୍ୟ ପୂର୍ବରୁ କଂଗ୍ରେସ ସହ ଯୋଗାଯୋଗ କରିଥିବା ଦାବି କରାଯାଇଛି। ତେବେ ଏହି ଦାବିଗୁଡ଼ିକ ଉପରେ ସମ୍ପୃକ୍ତ ନେତା କିମ୍ବା ଦଳ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
କ୍ଷେତ୍ରୀୟ ଦଳ ଦୁର୍ବଳ ହେଲେ କଂଗ୍ରେସ ସ୍ୱତଃସ୍ଫୂର୍ତ୍ତ ଭାବେ ଲାଭବାନ ହେବ ବୋଲି ଧାରଣାକୁ ମଧ୍ୟ କିଦୱାଇ ଖଣ୍ଡନ କରିଛନ୍ତି। ତାଙ୍କ ମତରେ, କେରଳକୁ ଛାଡ଼ି ଅନ୍ୟାନ୍ୟ ଅଧିକାଂଶ ରାଜ୍ୟରେ କଂଗ୍ରେସକୁ ଏବେ ମଧ୍ୟ ମେଣ୍ଟ ସହଯୋଗୀଙ୍କ ଆବଶ୍ୟକତା ରହିଛି ଏବଂ ଏକାକୀ ଭାବେ ବଡ଼ ସଫଳତା ପାଇବା ସହଜ ନୁହେଁ।




