ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକରେ ପିଲାଚୋରି ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ଭିଡ ହିଂସା ଘଟଣାକୁ ‘ରେଡ୍ ଫ୍ଲାଗ୍ କେସ’ ଭାବେ ଚିହ୍ନଟ କରିବା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି। ତଦନ୍ତରେ କ୍ରାଇମବ୍ରାଞ୍ଚ ମଧ୍ୟ ସହଯୋଗ କରୁଥିବା ରାୟଗଡା ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।


ପୁଲିସ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନେକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଅନ୍ୟପଟେ କିଛି ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି।


ଏସ୍‌ପି କହିଛନ୍ତି ଯେ, ଘଟଣା ସମୟରେ ଧାରଣ କରାଯାଇଥିବା ଭିଡିଓକୁ ସୋସିଆଲ ମିଡିଆରେ ପ୍ରସାର କରାଯାଇଥିଲେ ଆଇନ ଅନୁଯାୟୀ ତାହାର ମଧ୍ୟ ଯାଞ୍ଚ କରାଯିବ। ବିଶେଷକରି ବ୍ୟକ୍ତିଗତ ମର୍ଯ୍ୟାଦା ଓ ସମ୍ବେଦନଶୀଳତାକୁ କ୍ଷତି ପହଞ୍ଚାଇବା ଭଳି ବିଷୟ ଥିଲେ ଆଇଟି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


ଏହି ମାମଲାରେ ସାଇବର ଟିମ୍ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ଡିଆଇଜିଙ୍କ ତତ୍ତ୍ୱାବଧାନରେ ଡିଜିଟାଲ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ଘଟଣାକୁ ନେଇ ୩ଟି ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ଅଲଗା ଏଫ୍‌ଆଇଆର୍‌ ଦାଖଲ ହୋଇନଥିବା ଜଣାପଡ଼ିଛି।


ଏସ୍‌ପିଙ୍କ କହିବା ଅନୁଯାୟୀ, ଘଟଣାର ଆଇନଗତ ପକ୍ଷକୁ ମଜବୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଲିଗାଲ୍‌ ସପୋର୍ଟ ଟିମ୍‌ ମଧ୍ୟ ଗଠନ କରାଯାଇଛି। ପ୍ରମାଣ, ଏଫ୍‌ଆଇଆର୍‌ ଓ ଡିଜିଟାଲ୍‌ ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧାରଣ କରାଯିବ।


ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ମାମଲାରେ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି।