ଗୋଲନ୍ଥରା: ଗୋଲନ୍ଥରାରେ ଜଣେ ବିସିଏ (BCA) ଶେଷ ବର୍ଷର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ୱଜିତଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଅଣାଯାଇଛି।ମୃତ ପ୍ରତିଭାଙ୍କ ଭଉଣୀଙ୍କ କହିବା ଅନୁସାରେ, ବିଶ୍ୱଜିତ ଛାତ୍ରୀଙ୍କୁ ପ୍ରେମ କରୁଥିଲେ ଏବଂ ଶାରୀରିକ ସମ୍ପର୍କ ପାଇଁ ବାରମ୍ବାର ବାଧ୍ୟ କରୁଥିଲେ।
ଘଟଣା ରାତିରେ ସେ ଛାତ୍ରୀଙ୍କୁ ବାହାରକୁ ଡାକିଥିଲେ, ହେଲେ ସେ ଯିବାକୁ ରାଜି ନହେବାରୁ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ହଷ୍ଟେଲ ଘରେ ଟାଙ୍ଗି ଦିଆଯାଇଥିବା ଏବଂ ସକାଳେ ପ୍ରମାଣ ନଷ୍ଟର ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତଦେହକୁ ମଧ୍ୟ ପରିବାର ପହଞ୍ଚିବା ପୂର୍ବରୁ ମନ୍ତ୍ରୀଙ୍କ ପୁତୁରା ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ମାମୁଁ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଚେତାବନୀ: ମନ୍ତ୍ରୀଙ୍କ ପୁତୁରା ସମ୍ପୃକ୍ତ ଥିବାରୁ ପୋଲିସ ଚୁପ୍ ବସିଥିବା ଅଭିଯୋଗ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଅଭିଯୁକ୍ତ ବିଶ୍ୱଜିତଙ୍କୁ ଗିରଫ କରାନଯାଏ, ତେବେ ଏସପି ଅଫିସ୍ ଘେରାଉ ସହ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ।




