ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ସେହି ସେହି ଭୟଙ୍କର ଭିଡ଼ହିଂସା ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ୱାଇ. ବି. ଖୁରାନିଆ ଏହି ମାମଲାକୁ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ‘କ୍ରାଇମ ଏଗେନଷ୍ଟ ଓମେନ୍’ (CAW) ୱିଙ୍ଗକୁ ଏହି ମାମଲାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତଦନ୍ତ କରିବାକୁ କୁହାଯାଇଛି।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନେକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ମଧ୍ୟ ଏହି ତଦନ୍ତରେ ଜିଲ୍ଲା ପୋଲିସକୁ ସହଯୋଗ କରୁଛି। ଅପରପକ୍ଷରେ, ଗିରଫଦାରୀ ଭୟରେ ଇଣ୍ଟାଲିଗୁଡ଼ା ଗ୍ରାମ ଏବେ ସମ୍ପୂର୍ଣ୍ଣ ଶୂନଶାନ୍ ହୋଇଯାଇଛି ଏବଂ ଗ୍ରାମବାସୀମାନେ ଗାଁ ଛାଡ଼ି ପଳାଇଛନ୍ତି।

ରାୟଗଡ଼ା ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ଯେ, ଏହି ହିଂସାକାଣ୍ଡର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିବା ଲୋକଙ୍କ ବିରୋଧରେ ଆଇଟି ଆକ୍ଟ (IT Act) ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦକ୍ଷିଣ-ପୂର୍ବାଞ୍ଚଳ ଡିଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଇବର ତଦନ୍ତ ଚାଲିଛି। ସେପଟେ ଉତ୍ୟକ୍ତ ଭିଡ଼ର ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ପୋଲିସ ସ୍ପଷ୍ଟ କରିଛି।