ଅନେକ ସମୟରେ ଲୋକେ ଅନୁଭବ କରନ୍ତି ଯେ, ମଧ୍ୟରାତ୍ରିରେ ହଠାତ ସେମାନଙ୍କ ନିଦ ଭାଙ୍ଗିଯାଏ। ଚାରିପାଖର ସବୁ ଜିନିଷ ଦେଖାଯାଏ ଓ ଶୁଭାଯାଏ, ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ଶରୀରକୁ ହଲାଇବା କିମ୍ବା ପାଟିରୁ କଥା ବାହାର କରିବା ସମ୍ଭବ ହୋଇପାରେନାହିଁ। ଏପରିକି କେହି ଜଣେ ଛାତି ଉପରେ ବସିଥିବା ଭଳି ଭାରି ଅନୁଭବ ହୁଏ। ବିଜ୍ଞାନ ଭାଷାରେ ଏହି ସ୍ଥିତିକୁ ‘ସ୍ଲିପ୍ ପାରାଲିସିସ’ (Sleep Paralysis) କୁହାଯାଏ।

କୌଣସି ଭୂତପ୍ରେତ ନୁହେଁ, ଏହା ଏକ ନିଦ୍ରା ଜନିତ ସମସ୍ୟା

ଲୋକେ ଏହାକୁ ଅଲୌକିକ ବା ଭୂତପ୍ରେତ ଜନିତ ଘଟଣା ଭାବି ଭୟଭୀତ ହୋଇଥାନ୍ତି, କିନ୍ତୁ ପ୍ରକୃତରେ ଏହା ଏକ ଶାରୀରିକ ପ୍ରକ୍ରିୟା। ନିଦରୁ ଉଠିବା ସମୟରେ ଆମର ମସ୍ତିଷ୍କ ଖୁବ୍ ଶୀଘ୍ର ସଜାଗ ହୋଇଯାଏ, ହେଲେ ଶରୀରର ମାଂସପେଶୀ ଗୁଡ଼ିକ ଶିଥିଳ ଅବସ୍ଥାରେ ରହିଥାନ୍ତି। ମସ୍ତିଷ୍କ ଓ ଶରୀର ମଧ୍ୟରେ ଏହି ସମନ୍ୱୟର ଅଭାବ ଯୋଗୁଁ କିଛି ସେକେଣ୍ଡ ବା ମିନିଟ୍ ପାଇଁ ମଣିଷ ଚାହିଁ ମଧ୍ୟ ହଲଚଲ ହୋଇପାରେନାହିଁ।

ମୁଖ୍ୟ କାରଣ ଓ ଲକ୍ଷଣ:

ଡାକ୍ତରଙ୍କ ଅନୁଯାୟୀ, ଏହା ଏକ ସାଧାରଣ ସମସ୍ୟା। ଏହାର ପ୍ରମୁଖ କାରଣଗୁଡ଼ିକ ହେଲା:

  • ନିଦ୍ରାରେ ଅନିୟମିତତା ଓ ପର୍ଯ୍ୟାପ୍ତ ନିଦ ନହେବା।
  • ଅତ୍ୟଧିକ ମାନସିକ ଚିନ୍ତା, କ୍ଳାନ୍ତି ଏବଂ ଥକ୍କାପଣ।
  • ଶୋଇବା ପୂର୍ବରୁ ଅଧିକ ସମୟ ଫୋନ୍ ବ୍ୟବହାର କରିବା।

ଏହି ସମୟରେ ଆଖି ଖୋଲା ରହିବା, ପାଟି ନ ଖୋଲିବା ଏବଂ ରୁମ୍ ଭିତରେ କାହାର ଉପସ୍ଥିତି ଥିବା ଭଳି ଭ୍ରମ ବା ହାଲୁସିନେସନ୍ ହେବା ଏହାର ମୁଖ୍ୟ ଲକ୍ଷଣ।

କିପରି ପାଇବେ ମୁକ୍ତି?

ସ୍ଲିପ୍ ପାରାଲିସିସକୁ ଏଡ଼ାଇବା ପାଇଁ ପ୍ରତିଦିନ ସଠିକ ସମୟରେ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ଶୋଇବା ପୂର୍ବରୁ ମୋବାଇଲ୍ ସ୍କ୍ରିନ୍‌ଠାରୁ ଦୂରେଇ ରହିବା ସହ ମାନସିକ ଚାପ ମୁକ୍ତ ରହିବା ଜରୁରୀ। ଯଦି ଏହି ସମସ୍ୟା ବାରମ୍ବାର ଦେଖାଦିଏ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।