ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ କଥିତ ଦୁର୍ନୀତି ଅଭିଯୋଗକୁ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଗତ ପ୍ରାୟ ଏକ ମାସ ଧରି ବିଭାଗର ୨୯ଟି ଫାଇଲ୍କୁ ତଦନ୍ତ ଘେରକୁ ଆଣି ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି। କେତେକ ପ୍ରଭାବଶାଳୀ ନେତାଙ୍କ ଇଙ୍ଗିତରେ ଏହି ଫାଇଲ୍ ପ୍ରସ୍ତୁତ ହୋଇଥିବା ଅଭିଯୋଗ ଉଠିଥିବାବେଳେ, ତଦନ୍ତକୁ ପ୍ରଭାବିତ କରିବାକୁ କିଛି ମହଲରୁ ଉଦ୍ୟମ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।
ବିଭିନ୍ନ ମହଲରୁ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଭଦ୍ରକ ଜିଲ୍ଲାପାଳ ଆଖୁଆପଦା ଜଳସମ୍ପଦ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ୨୦୨୪–୨୫ ଓ ୨୦୨୫–୨୬ ଆର୍ଥିକ ବର୍ଷରେ ୩୮ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଶେଷକରି ଏଫ୍–୨ ବ୍ୟବସ୍ଥା ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଟେଣ୍ଡରରେ କାମ କରାଯାଇ ବିଲ୍ ପାସ୍ କରାଯାଇଥିବା ଅଭିଯୋଗ ଉଠିଛି। ସରକାର ପରିବର୍ତ୍ତନ ପରେ ମଧ୍ୟ ସେହି ପ୍ରକ୍ରିୟା ଚାଲିଥିବା ଅଭିଯୋଗ ରହିଛି।
ଅଭିଯୋଗ ଅନୁସାରେ, କେତେକ କାମ ନେତାଙ୍କ ସୁପାରିଶରେ ବଣ୍ଟନ କରାଯାଇଥିଲା ଏବଂ କେଉଁ ଯନ୍ତ୍ରୀ କାମ ତଦାରଖ କଲେ ଓ କିପରି ବିଲ୍ ପାସ୍ ହେଲା, ସେଥିରେ ତଦନ୍ତ ଜୋରଦାର ହୋଇଛି।
ଗଳିଆ ନାଳ, ଚରଦିଆ ନଦୀବନ୍ଧ ସଫେଇ, ସାନହରିପୁର ଓ ବଡହରିପୁର ଅଞ୍ଚଳର ନାଳ ସଫେଇ, ମନ୍ତେଇ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ ମରାମତି ଏବଂ ପୋଖରୀସାହି, ଧୁଣ୍ଡିନାଳ, ଜେନାସାହି ଓ ଲୁଣିଛଟ ନାଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଶେଷକରି ବଡହରିପୁର ଓ ସାନହରିପୁରର ୩ଟି ଏଫ୍–୨ କାମରେ ହେରଫେର ହୋଇଥିବା କୁହାଯାଉଛି।
ସ୍ଥାନୀୟ ଲୋକମାନେ ଏହି ସମଗ୍ର ମାମଲାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଦାବି କରିଛନ୍ତି। ଏପଟେ ଆଖୁଆପଦା ଜଳସମ୍ପଦ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ସାମଲ କହିଛନ୍ତି, “ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ଏହି ମାମଲା କେବଳ ଚାନ୍ଦବାଲି ସବ୍ଡିଭିଜନରେ ସୀମିତ ନୁହେଁ ବୋଲି ଅଭିଯୋଗ ହେଉଛି। ଭଦ୍ରକ, ଭଣ୍ଡାରପୋଖରୀ ଓ ଆଖୁଆପଦା ଅଞ୍ଚଳର ବିଭିନ୍ନ ପ୍ରକଳ୍ପରେ ମଧ୍ୟ ଫଲ୍ସ ବିଲ୍ ଓ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ସେଥିପାଇଁ ସମଗ୍ର ମାମଲାର ଭିଜିଲାନ୍ସ ତଦନ୍ତ ଦାବି ଜୋର ଧରିଛି।




