ମାଲଦା: ପଶ୍ଚିମବଙ୍ଗର ମାଲଦା ସୀମା ଅଞ୍ଚଳରେ ଶନିବାର ଏକ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କିଛି ବାଂଲାଦେଶୀ ନାଗରିକଙ୍କୁ ବାଂଲାଦେଶ ପକ୍ଷକୁ ପଠାଇବାକୁ ଉଦ୍ୟମ କରୁଥିବାବେଳେ ପରିସ୍ଥିତି ତିବ୍ର ହୋଇଥିବା ସୂଚନା ମିଳିଛି। ଘଟଣା ସମୟରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଓ ସ୍ଥାନୀୟ ବାଂଲାଦେଶୀ ନାଗରିକଙ୍କ ବିରୋଧ ଯୋଗୁଁ ସୀମାରେ ତନାତନି ସୃଷ୍ଟି ହୋଇଥିବା ଜଣାପଡ଼ିଛି।


ଘଟଣା ପରେ ସୀମାନ୍ତ ଅଞ୍ଚଳରେ ସତର୍କତା ବଢ଼ାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରୁ ମଧ୍ୟ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଛି।


ସୁଖଦେବପୁର ଗ୍ରାମର ବାସିନ୍ଦା ପୀୟୂଷ ମଣ୍ଡଳଙ୍କ କହିବା ଅନୁଯାୟୀ, ସୀମାର ଜିରୋ ଲାଇନ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହା ସହ କିଛି ଲୋକ ଭାରତୀୟ ସୀମା ଭିତରକୁ ଆସିବାକୁ ଉଦ୍ୟମ କରିଥିବା ଦାବି କରାଯାଇଛି, ଯାହାକୁ ବିଏସ୍ଏଫ୍ ରୋକିଥିଲା।
ସ୍ଥାନୀୟ ଗ୍ରାମବାସୀ ଚପଲା ମଣ୍ଡଳ କହିଛନ୍ତି ଯେ, ଗ୍ରାମବାସୀମାନେ ବିଏସ୍ଏଫ୍ ସହ ମିଶି ପରିସ୍ଥିତି ନିୟନ୍ତ୍ରଣରେ ସହଯୋଗ କରିଥିଲେ। ସେ ସୀମାରେ ଅଧିକ ସୁରକ୍ଷା ବ୍ୟବସ୍ଥା ଓ ବାଡ଼ ନିର୍ମାଣ ଦାବି କରିଛନ୍ତି।


ଉତ୍ତେଜନା ପରେ ବିଏସ୍ଏଫ୍ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କିଛି ସମୟ ପାଇଁ ସୀମାବର୍ତ୍ତୀ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ବାହିନୀ ପରିସ୍ଥିତି ଉପରେ ନଜର ରଖିଥିବାବେଳେ ଅଧିକାରିକ ଭାବେ ବିସ୍ତୃତ ସୂଚନା ଅପେକ୍ଷାରେ ରହିଛି।