ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ କୁମୁଡାବାଲି ଗ୍ରାମରେ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲାଛିନ୍ଦ୍ର ବିଡିକା (୬୮)।

ସୂଚନା ଅନୁଯାୟୀ, ଲାଛିନ୍ଦ୍ର ଶନିବାର ଦିନ ମଇଁଷି ଚରାଇବା ପାଇଁ ଘରୁ ବାହାରିଥିଲେ। ସନ୍ଧ୍ୟା ସମୟରେ ଅଞ୍ଚଳରେ ବର୍ଷା ଓ ପବନ ବଢ଼ିଥିଲେ ମଧ୍ୟ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।

ରବିବାର ସକାଳେ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଲାଛିନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରାଥମିକ ଭାବେ ବଜ୍ରାଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।