ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ରାଜ୍ୟର ଜଣେ ବିଶିଷ୍ଟ ତୀରନ୍ଦାଜ ତଥା ପ୍ରତିଷ୍ଠିତ ଆର୍ଚେରୀ (ତୀରନ୍ଦାଜୀ) କୋଚ୍ ରାଜେଶ ହାଁସଦାଙ୍କ ଆକସ୍ମିକ ବିୟୋଗ ହୋଇଛି। ତାଙ୍କର ଏହି ଅକାଳ ପରଲୋକରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ମାଧ୍ୟମରେ ଏକ ଶୋକବାର୍ତ୍ତା ଜାରି କରି କହିଛନ୍ତି, “ରାଜେଶ ହାଁସଦାଙ୍କ ନିଧନ ଖବର ପାଇ ମୁଁ ଗଭୀର ଭାବେ ମର୍ମାହତ। ତୀରନ୍ଦାଜୀ ଖେଳ ପ୍ରତି ତାଙ୍କର ସମର୍ପଣ ଏବଂ ଯୁବ ପ୍ରତିଭାମାନଙ୍କୁ ଗଢ଼ିତୋଳିବାରେ ତାଙ୍କର ଭୂମିକା ସଦାସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗ ଏବଂ ଆର୍ଚେରୀ ସମୁଦାୟକୁ ମୋର ଆନ୍ତରିକ ସମବେଦନା। ଭଗବାନ ତାଙ୍କ ଅମର ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ।”

ରାଜେଶ ହାଁସଦା ଓଡ଼ିଶାର ଆର୍ଚେରୀ ଜଗତର ଏକ ଜଣାଶୁଣା ଏବଂ ପ୍ରଭାବଶାଳୀ ଚେହେରା ଥିଲେ। ସେ ପ୍ରତିଷ୍ଠିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (KISS) ରେ ମୁଖ୍ୟ ଆର୍ଚେରୀ କୋଚ୍ ଭାବରେ ଦୀର୍ଘ ଦିନ ଧରି ସେବା କରିଆସୁଥିଲେ।

ଯୁବ ଓ ଉଦୀୟମାନ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇ ଆଗକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିବା ଅନେକ ଛାତ୍ରଛାତ୍ରୀ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଅନେକ ବଡ଼ ବଡ଼ ପ୍ରତିଯୋଗିତାରେ ଓଡ଼ିଶା ତଥା ସମଗ୍ର ଭାରତର ପ୍ରତିନିଧିତ୍ୱ କରି ଗୌରବ ଆଣିଛନ୍ତି।