ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ବିଗତ ୬ ମାସ ଧରି ଦରମା ପାଇନଥିବାରୁ ପ୍ରବଳ ଆର୍ଥିକ ଅନଟନ ଓ ମାନସିକ ଚାପ ମଧ୍ୟରେ ଗତି କରୁଥିବା ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ଜଣକ ହେଲେ ଖଇରା ବ୍ଲକ କାଞ୍ଜିଆଖୁଣ୍ଟା ଗ୍ରାମର ଲକ୍ଷ୍ମୀଧର ମହାନ୍ତି।
ସୂଚନା ଅନୁଯାୟୀ, ଲକ୍ଷ୍ମୀଧର ପୂର୍ବରୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଦୁରୁଖାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ୬ ମାସ ତଳେ ତାଙ୍କର ବଦଳି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସୁଜାଗଡ଼ ପ୍ରାଥମିକ ବିଦ୍ୟାଳୟକୁ ହୋଇଥିଲା। ତେବେ ବଦଳି ପରଠାରୁ ତାଙ୍କର ଦରମା ବନ୍ଦ ରହିଥିଲା। ଶିକ୍ଷକଙ୍କ ଏଲ୍ପିସି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକ୍ରିୟାକରଣ କରାଯାଇ ନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ବାରମ୍ବାର କୋରାପୁଟ ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣିନଥିଲେ।
ଅଭିଯୋଗ ହୋଇଛି ଯେ, କାଗଜପତ୍ର କାମ କରାଇଦେବା ପାଇଁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମୋଟା ଅଙ୍କର ଲାଞ୍ଚ ମାଗୁଥିଲେ। ଗରିବ ଶିକ୍ଷକ ଜଣକ ଲାଞ୍ଚ ଦେବାକୁ ଅସମର୍ଥ ଥିବାରୁ ତାଙ୍କ ଫାଇଲ୍କୁ ଚାପି ରଖାଯାଇଥିଲା। ଦୀର୍ଘ ଦିନ ଧରି ଦରମା ନମିଳିବାରୁ ସେ ଗଭୀର ମାନସିକ ଅବସାଦ ମଧ୍ୟକୁ ଚାଲିଯାଇଥିଲେ। ବୁଧବାର ସକାଳେ ଘରେ ଥିବା ସମୟରେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା ଓ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଏହି ସଂବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତ ଶିକ୍ଷକଙ୍କ ଭାଇ ଲମ୍ବୋଦର ମହାନ୍ତି ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ଶିକ୍ଷା ଅଧିକାରୀଙ୍କ ମାନସିକ ନିର୍ଯାତନା ଯୋଗୁଁ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।




