ଭୁବନେଶ୍ବର: ପୂର୍ବତନ ଆଇଏଏସ୍ ଅଧିକାରୀ ଏବଂ ନବୀନ ସରକାର ସମୟର ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତାମାନଙ୍କ ବୈଠକ ପରେ ଏହି ଚର୍ଚ୍ଚା ଆହୁରି ତେଜିଛି।
ସୂଚନା ଅନୁଯାୟୀ, ଆସନ୍ତାକାଲି ଶଙ୍ଖ ଭବନରେ ଦଳ ପକ୍ଷରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ସେଠାରେ ସୁଜାତା କାର୍ତ୍ତିକେୟନ ଉପସ୍ଥିତ ରହି ଔପଚାରିକ ଭାବେ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଦଳ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ଆଜି ନବୀନ ନିବାସରେ ହୋଇଥିବା ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମାଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବୈଠକ ପରେ ସୁଜାତାଙ୍କ ସମ୍ଭାବ୍ୟ ରାଜନୈତିକ ଭୂମିକାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
ସୁଜାତା କାର୍ତ୍ତିକେୟନ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚର ଆଇଏଏସ୍ ଅଧିକାରୀ ଥିଲେ। ସେ ମିଶନ ଶକ୍ତି ସଚିବ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଥିଲେ। ଗତବର୍ଷ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ।
୨୦୨୪ ନିର୍ବାଚନ ସମୟରେ ତାଙ୍କୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା। ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ଯେ, ମିଶନ ଶକ୍ତି ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରାଯାଉଛି। ପରେ ତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି କରାଯାଇଥିଲା।
ଏପଟେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଆହୁରି ଗତି ଦେଇଛି। ସେ ଦଳର ଭବିଷ୍ୟତ ଓ ନୂଆ ସମୀକରଣକୁ ନେଇ କଟାକ୍ଷ କରିଥିବା ଦେଖିବାକୁ ମିଳିଛି।
ଏବେ ସବୁଙ୍କ ନଜର ଆସନ୍ତାକାଲିର ବୈଠକ ଓ ସମ୍ଭାବ୍ୟ ଘୋଷଣା ଉପରେ ରହିଛି।




