ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଟ୍ରିଲିୟନେୟାର ଭାବେ ଚର୍ଚ୍ଚାରେ ରହିବା ପରେ ଏବେ ଏଲନ୍‌ ମସ୍କଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ତାଙ୍କ ରକେଟ୍ କମ୍ପାନି ସ୍ପେସଏକ୍ସର ସେୟାର ମୂଲ୍ୟ ୧୬ ପ୍ରତିଶତ କମିବା ପରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କ ସମ୍ପତ୍ତିରୁ ପ୍ରାୟ ୩୫୦ ବିଲିୟନ ଡଲାର (ପ୍ରାୟ ୩୩.୧୩ ଲକ୍ଷ କୋଟି ଟଙ୍କା) କମିଯାଇଛି।

ଫୋର୍ବସ୍‌ର ରିଅଲ୍‌ ଟାଇମ୍ ବିଲିୟନେୟାର ତାଲିକା ଅନୁସାରେ, ସ୍ପେସଏକ୍ସ ସେୟାର ଦର ହ୍ରାସ ପରେ ମସ୍କଙ୍କ ମୋଟ ସମ୍ପତ୍ତି ୧.୪୫ ଟ୍ରିଲିୟନ ଡଲାରରୁ କମି ୧.୧ ଟ୍ରିଲିୟନ ଡଲାର (ପ୍ରାୟ ୧୦୪.୧୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି।

ଏହି କ୍ଷତିର ପରିମାଣ ଏତେ ବଡ଼ ଯେ ଏହା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଲାରି ପେଜଙ୍କ ମୋଟ ସମ୍ପତ୍ତିଠାରୁ ମଧ୍ୟ ଅଧିକ ବୋଲି ଚର୍ଚ୍ଚା ହେଉଛି।

ତେବେ ମସ୍କଙ୍କ ପାଇଁ ଏହା ପ୍ରଥମ ବଡ଼ ଆର୍ଥିକ ଝଟକା ନୁହେଁ। ୨୦୨୨ରେ ଟେସଲା ସେୟାର ଦର ପତନ ସମୟରେ ସେ ପ୍ରାୟ ୧୬୫ ବିଲିୟନ ଡଲାର ହରାଇଥିଲେ। ସର୍ବାଧିକ ବ୍ୟକ୍ତିଗତ ସମ୍ପତ୍ତି କ୍ଷତିର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି।

ମସ୍କଙ୍କ ସମ୍ପତ୍ତିର ମୁଖ୍ୟ ଉତ୍ସ ହେଉଛି ସ୍ପେସଏକ୍ସରେ ତାଙ୍କ ୩୮ ପ୍ରତିଶତ ଅଂଶଧନ, ଟେସଲାରେ ୧୧ ପ୍ରତିଶତ ଅଂଶ ଏବଂ ଅନ୍ୟାନ୍ୟ ଟେକ୍‌ ଓ ଷ୍ଟାର୍ଟଅପ୍‌ କମ୍ପାନିରେ ନିବେଶ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ସ୍ପେସଏକ୍ସ ଆମେରିକୀୟ ବଜାରରେ ତାଲିକାଭୁକ୍ତ ହେବା ପରେ କମ୍ପାନିର ସେୟାର ମୂଲ୍ୟ ଦ୍ରୁତ ବୃଦ୍ଧି ପାଇଥିଲା। ଆଇପିଓ ପରବର୍ତ୍ତୀ ପ୍ରଥମ ତିନି ବ୍ୟବସାୟିକ ଦିନରେ ସେୟାର ୬୭ ପ୍ରତିଶତ ବଢ଼ିଥିଲା ଏବଂ କମ୍ପାନିର ମୂଲ୍ୟାୟନ ୧.୮ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା।

କିନ୍ତୁ ବର୍ତ୍ତମାନର ସେୟାର ପତନ ମସ୍କଙ୍କ ସମ୍ପତ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଛି।