ଗୁରୁଗ୍ରାମ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ କେନ୍ଦ୍ର କରି ଚାଲିଥିବା ବିବାଦୀୟ ଭିଡିଓ ମାମଲାରେ ନୂଆ ମୋଡ଼ ଆସିଛି। ହରିୟାଣାର ଗୁରୁଗ୍ରାମ ପୁଲିସ ତଦନ୍ତ ସମୟରେ ଦାବି କରିଛି ଯେ, ଭିଡିଓକୁ ନକଲି କିମ୍ବା କୃତ୍ରିମ ବୋଲି ପ୍ରମାଣ କରିବା ପାଇଁ ଏକ ଜାଲ୍‌ ଫରେନ୍ସିକ୍‌ ରିପୋର୍ଟ ପ୍ରସ୍ତୁତ କରିବାର ଷଡ଼ଯନ୍ତ୍ର ହୋଇଥିଲା। ଏହି କାର୍ଯ୍ୟ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ଏହି ମାମଲାରେ ଗୁରୁଗ୍ରାମ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ସେମାନେ ଏକ ନକଲି ଡିଜିଟାଲ୍‌ ଫରେନ୍ସିକ୍‌ ରିପୋର୍ଟ ପ୍ରସ୍ତୁତ କରି ଭିଡିଓଟି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ତିଆରି ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଏହା ମଧ୍ୟ ସନ୍ଦେହ ପ୍ରକାଶ କରିଛି ଯେ, କିଛି ପଞ୍ଜାବ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ହୋଇଥାଇପାରେ।

ଏହି ଘଟଣାକୁ ନେଇ ବିଜେପି ଆମ ଆଦମୀ ପାର୍ଟି (ଆପ୍) ସରକାର ଉପରେ ତୀବ୍ର ଆକ୍ରମଣ କରିଛି। ଦଳର ଅଭିଯୋଗ ହେଉଛି, ସରକାରୀ ଯନ୍ତ୍ରଣାକୁ ବ୍ୟବହାର କରି ଭୁଲ୍‌ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା କ୍ଷମତାର ଦୁରୁପଯୋଗ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ଗିରଫ ଦାବି କରିଛି ବିଜେପି।

ଏହି ବିବାଦର ମୂଳରେ ଥିବା ଭିଡିଓକୁ ନେଇ ପୂର୍ବରୁ ମଧ୍ୟ ରାଜନୈତିକ ଓ ସାମାଜିକ ସ୍ତରରେ ବିବାଦ ସୃଷ୍ଟି ହୋଇଥିଲା। କିଛି ଶିଖ୍‌ ସଂଗଠନ ଓ ବିରୋଧୀ ଦଳ ଏହା ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରିଥିଲେ।

ଅନ୍ୟପଟେ, ଭଗବନ୍ତ ମାନ୍‌ ଆରମ୍ଭରୁ ଏହି ଭିଡିଓକୁ ଭୁଲ୍‌ ଏବଂ ମନଗଢ଼ା ବୋଲି ଦାବି କରିଆସୁଛନ୍ତି। ସେ କହିଛନ୍ତି ଯେ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ସେ ନୁହନ୍ତି। ତାଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଦୁଇଟି ସ୍ୱାଧୀନ ପରୀକ୍ଷାଗାରର ରିପୋର୍ଟରେ ମଧ୍ୟ ଭିଡିଓରେ ଥିବା ବ୍ୟକ୍ତିଙ୍କ ମୁହଁର ଗଠନ ତାଙ୍କ ସହ ମେଳ ଖାଉନଥିବା ଉଲ୍ଲେଖ ରହିଛି।

ତେବେ ଗୁରୁଗ୍ରାମ ପୁଲିସର ନୂଆ ଦାବି ପରେ ମାମଲା ଆହୁରି ସମ୍ବେଦନଶୀଳ ହୋଇପଡ଼ିଛି। କିଏ ଏହି ଜାଲ୍‌ ରିପୋର୍ଟ ପ୍ରସ୍ତୁତ କଲା, ଟଙ୍କା କେଉଁଠାରୁ ଆସିଲା ଏବଂ କେହି ସରକାରୀ ସ୍ତରରୁ ଜଡିତ ଥିଲେ କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।