ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ୨୦୨୬ର ସୁରୁଖୁରୁ ପରିଚାଳନା ଏବଂ ସମନ୍ୱୟ ପାଇଁ ରାଜ୍ୟ ସରକାର ୧୩ ଜଣ ଅତିରିକ୍ତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି।
ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ଅଫିସର ଅନ୍ ସ୍ପେସାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ନିଯୁକ୍ତି ଦିଆଯାଇଛି।
ସରକାରୀ ନିର୍ଦ୍ଦେଶ ଅନୁସାରେ, ସେମାନେ ଜୁନ୍ ୨୫ ତାରିଖରୁ ଜୁଲାଇ ୨୭ ପର୍ଯ୍ୟନ୍ତ ପୁରୀରେ ରହି କାର୍ଯ୍ୟ ସମ୍ପାଦନ କରିବେ। ସ୍ନାନଯାତ୍ରାରୁ ଆରମ୍ଭ କରି ରଥଯାତ୍ରା ଏବଂ ସମ୍ପୃକ୍ତ ସମସ୍ତ ପର୍ବପର୍ବାଣୀର ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।
ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି— ଶୁଭନନ୍ଦ ମହାପାତ୍ର, ସୁଭାଷ ଚନ୍ଦ୍ର ନାଥଶର୍ମା, ବିଜୟ କୁମାର ସ୍ୱାଇଁ, ନୀତି ରଞ୍ଜନ ସେନ୍, ଦେବାଶୀଷ ପଟ୍ଟନାୟକ, ସୁବ୍ରତ କୁମାର ବେହେରା, ଜିତେନ୍ଦ୍ର କୁମାର ନାୟକ, ବିଜୟ କୁମାର ନାୟକ, ସୁବ୍ରତ କୁମାର ଜେନା, ବିଜୟ କୁମାର ବେହେରା, କିଶୋର କୁମାର ପଣ୍ଡା, ମନୋଜ କୁମାର ବେହେରା ଓ ହେମନ୍ତ ଭାରୀମଲ୍ଲ।
ପ୍ରତିବର୍ଷ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ପୁରୀକୁ ଆସୁଥିବାରୁ ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ସେବା ପରିଚାଳନା ଓ ସମନ୍ୱୟକୁ ଦୃଷ୍ଟିରେ ରଖି ସରକାର ଏଭଳି ଅତିରିକ୍ତ ପ୍ରଶାସନିକ ବ୍ୟବସ୍ଥା କରିଥାନ୍ତି।




