ଭୁବନେଶ୍ଵର: ‘ଆଟମୋସଫିୟର କୋର’ର ଭାରତ, ନେପାଳ, ଭୁଟାନ ଓ ଶ୍ରୀଲଙ୍କାର ପରିଚାଳନା ନିର୍ଦ୍ଦେଶକ (MD) ସୌଭାଗ୍ୟ ମହାପାତ୍ର ଜାତୀୟ ପର୍ଯ୍ୟଟନ କମିଟି ଅଧୀନରେ ଥିବା ‘ଫିକି (FICCI) ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟି’ର ଅଧ୍ୟକ୍ଷ ଭାବେ ଏକ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ତାଙ୍କର ଦକ୍ଷ ନେତୃତ୍ୱ ଏବଂ ଗଭୀର ଅଭିଜ୍ଞତାକୁ ସ୍ୱୀକୃତି ଦେଇ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।
ତିନି ଦଶନ୍ଧିରୁ ଅଧିକ ସମୟର ଏକ ସଫଳ କ୍ୟାରିୟର ସହ ଶ୍ରୀ ମହାପାତ୍ର ଜଣେ ଜଣାଶୁଣା ଏବଂ ରଣନୀତିକ ନେତା ଭାବେ ପରିଚିତ। ବର୍ତ୍ତମାନ ସେ ମାଳଦ୍ୱୀପ ଓ ଭାରତ ସମେତ ଭାରତ ମହାସାଗର ଅଞ୍ଚଳରେ ପୁରସ୍କାର ପ୍ରାପ୍ତ ରିସର୍ଟ ବ୍ରାଣ୍ଡ ପରିଚାଳନା କରୁଥିବା ଆନ୍ତର୍ଜାତୀୟ କମ୍ପାନୀ ‘ଆଟମୋସଫିୟର କୋର’ର ଦକ୍ଷିଣ ଏସିଆ ରଣନୀତିକ ସମ୍ପ୍ରସାରଣର ନେତୃତ୍ୱ ନେଉଛନ୍ତି।
ତାଙ୍କ ନିର୍ଦ୍ଦେଶନାରେ ଭାରତରେ ଅନେକ ନୂତନ ପ୍ରକଳ୍ପ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ସେ କମ୍ପାନୀର ଆଦର୍ଶ “ଜୟ ଅଫ୍ ଗିଭିଙ୍ଗ୍”କୁ ଆଧାର କରି ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବା ଓ ଅନୁଭୂତି ପ୍ରଦାନ କରିଆସୁଛନ୍ତି।ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ମହାପାତ୍ର ଶିଳ୍ପ, ସରକାର ଏବଂ ସ୍ଥାନୀୟ ସମୁଦାୟକୁ ଏକାଠି କରି ପୂର୍ବ ଭାରତରେ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବେ ବୋଲି ଆଶା କରାଯାଉଛି।
ବ୍ରାଣ୍ଡ ବିଲ୍ଡିଂ ଏବଂ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଫିକିର ନୀତିଗତ ସୁପାରିଶ, ଭିତ୍ତିଭୂମିର ବିକାଶ ଏବଂ ନିବେଶ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ବେଶ୍ ସହାୟକ ହେବ।ଭାରତୀୟ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ଓ ଘରୋଇ ଚାହିଦା ବୃଦ୍ଧି ପାଉଥିବା ସମୟରେ ତାଙ୍କର ଏହି ନିଯୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସେ ପର୍ଯ୍ୟଟନକୁ ଅନ୍ତର୍ଭୁକ୍ତୀକରଣ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ମାଧ୍ୟମ କରିବା ସହ ସାଂସ୍କୃତିକ ସଂରକ୍ଷଣ ଏବଂ ସ୍ଥାୟୀ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେବେ।ଏହି ସଫଳତା ପାଇଁ ‘ଫିକି’ ସୌଭାଗ୍ୟ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ମାର୍ଗଦର୍ଶନରେ ଭାରତର ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିବ ବୋଲି ଆଶା ପ୍ରକଟ କରିଛି।




