ପୁରୀ: ଶ୍ରୀମନ୍ଦିର ଅନବସର ଗୃହରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଗୁପ୍ତ ଉପଚାର ଜାରି ରହିଛି। ଆଜି ଅନବସରର ପଞ୍ଚମ ଦିବସ ତଥା ପଞ୍ଚମୀ ତିଥିରେ ଶ୍ରୀଜୀଉମାନଙ୍କ ନିକଟରେ ପ୍ରସିଦ୍ଧ ‘ଫୁଲୁରୀ ତେଲ’ ଲାଗି କରାଯିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଜ୍ୱର ଉପଶମ ଓ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି ବିଶେଷ ପଦ୍ଧତି ପ୍ରତିବର୍ଷ ଅନୁସୃତ ହୋଇଥାଏ।ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ‘ବଡ଼ ଓଡ଼ିଆ ମଠ’ ପକ୍ଷରୁ ଏହି ସ୍ୱତନ୍ତ୍ର ଫୁଲୁରୀ ତେଲ ସମ୍ପୂର୍ଣ୍ଣ ଶୁଦ୍ଧତା ଓ ନିଷ୍ଠାର ସହ ପ୍ରସ୍ତୁତ କରାଯାଇଛି।

ଆଜି ମଧ୍ୟାନ୍ନ ଧୂପ ନୀତି ସମ୍ପନ୍ନ ହେବା ପରେ ଏହି ସୁବାସିତ ଓ ଔଷଧୀୟ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ କରିବ। ଏହା ପରେ ରାତିରେ ମହାପ୍ରଭୁଙ୍କ ଗୁପ୍ତ ସେବାୟତ ତଥା ଦଇତାପତିମାନେ ଅନବସର ଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଏହି ତେଲ ଲାଗି ବା ମାଲିସ୍ କରିବେ।

ଉଲ୍ଲେଖଯୋଗ୍ୟ ଯେ, ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି। ଏହି ଫୁଲୁରୀ ତେଲରେ ଘିଅ, ଜଡ଼ା ତେଲ ସମେତ ବିଭିନ୍ନ ସୁବାସିତ ଫୁଲ ଏବଂ ଚେରମୂଳିର ବ୍ୟବହାର କରାଯାଇଥାଏ, ଯାହାକୁ ମଠ ପକ୍ଷରୁ ପ୍ରାୟ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତି ପ୍ରସ୍ତୁତ କରି ରଖାଯାଇଥାଏ। ଆଜି ଏହି ତେଲ ଲାଗି ହେବା ପରେ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ ଏବଂ ଏହା ପରେ ଦଶମୂଳ ପାଚନ (ଔଷଧ) ଲାଗି ପ୍ରକ୍ରିୟା ଆରମ୍ଭ ହେବ।