ପୁରୀ/ଭୁବନେଶ୍ୱର: ଆସନ୍ତା ପୁରୀ ରଥଯାତ୍ରା–୨୦୨୬କୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ଅବସରରେ ମୋଟ ୨୧ ହଜାରରୁ ଅଧିକ ପୁଲିସ କର୍ମଚାରୀ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ହୋମଗାର୍ଡଙ୍କୁ ମୁତୟନ କରାଯିବ।

ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ୧୨ ହଜାର ପୁଲିସ ଓ ଟ୍ରାଫିକ୍ କନଷ୍ଟେବଳ, ୧୦ କମ୍ପାନୀ (ପ୍ରାୟ ୧୩୦୦ ଯବାନ) କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (CAPF), CRPF ଓ BSF, ୨୫୦ ପ୍ଲାଟୁନ୍ (ପ୍ରାୟ ୭୫୦୦ କର୍ମଚାରୀ) OSAP, IRBN ଓ APR ନିୟୋଜିତ ହେବେ। ଏହାସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ଏବଂ ପାର୍କିଂ ପରିଚାଳନାରେ ସହଯୋଗ ପାଇଁ ୩,୦୦୦ ହୋମଗାର୍ଡଙ୍କୁ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯିବ।

ଶୁକ୍ରବାର ପୁରୀ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (DPO) ପରିସରରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥଯାତ୍ରା ସମୟରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ମୁକାବିଲା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ପୁଲିସ ମହାନିର୍ଦ୍ଦେଶକ କହିଥିଲେ, ରଥଯାତ୍ରାରେ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରକ୍ଷିତ ଭାବେ ପୁରୀରେ ପହଞ୍ଚିବେ, ମହାପ୍ରଭୁଙ୍କ ଦର୍ଶନ କରି ନିଜ ଘରକୁ ଫେରିପାରିବେ, ସେଥିପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ବାହାରୁ ଆସୁଥିବା ପୁଲିସ ବଳଙ୍କ ରହଣି ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

ଶ୍ରଦ୍ଧାଳୁମାନଙ୍କୁ ଓଡ଼ିଶା ପୁଲିସର ଅଫିସିଆଲ୍ ପୋର୍ଟାଲ ଏବଂ ସମୟ ସମୟରେ ଜାରି ହେଉଥିବା ଟ୍ରାଫିକ୍ ଆଡଭାଇଜରୀକୁ ଅନୁସରଣ କରି ଯାତ୍ରା କରିବାକୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଟ୍ରାଫିକ୍ ସମସ୍ୟା କମିବା ସହ ଯାତ୍ରା ସୁଗମ ହେବ ବୋଲି ପୁଲିସ କହିଛି।

ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅରୁଣ ବୋଥ୍ରା, ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, ଏସପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିବାବେଳେ ଅନ୍ୟ କେତେକ ଅଧିକାରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ।