ତେହେରାନ: ବିଶ୍ୱର ସବୁଠାରୁ ଗୁրୁତ୍ୱପୂର୍ଣ୍ଣ ଜଳମାର୍ଗ ‘ହରମୁଜ୍ ପ୍ରଣାଳୀ’ (Strait of Hormuz) ବାହ୍ୟ ଶକ୍ତିମାନଙ୍କର ସାମରିକ ଶକ୍ତି ପ୍ରଦର୍ଶନର ରଙ୍ଗମଞ୍ଚ ନୁହେଁ ବୋଲି ଇରାନ ଚେତାବନୀ ଦେଇଛି। ଇରାନର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ କାଜେମ ଗରିବାବାଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଏହି ସମ୍ବେଦନଶୀଳ ଜଳପଥର ସୁରକ୍ଷା ଗ୍ୟାରେଣ୍ଟି ଦେବାର ଦାୟିତ୍ୱ କେବଳ ଇରାନ ଏବଂ ଓମାନର।
ଏଣୁ ସେଠାରେ ବାହ୍ୟ ଶକ୍ତିଙ୍କର କୌଣସି ବି ସାମରିକ ଗତିବିଧିକୁ ବରଦାସ୍ତ କରାଯିବ ନାହିଁ।ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଏକ ମିଳିତ ବିବୃତି ଜାରି କରି ହରମୁଜ୍ ପ୍ରଣାଳୀକୁ ବିଶ୍ୱ ଅର୍ଥନୀତିର ‘ମୁଖ୍ୟ ଧମନୀ’ ବୋଲି ଦର୍ଶାଇଥିଲେ।
ସେଠାରେ ଜାହାଜ ଚଳାଚଳ ସୁରକ୍ଷିତ କରିବା ପାଇଁ ବ୍ରିଟେନ ଓ ଫ୍ରାନ୍ସ ନିଜର ବହୁରାଷ୍ଟ୍ରୀୟ ସାମରିକ ମିଶନ ନିୟୋଜିତ କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ଏହାର ଜବାବରେ ଇରାନ ଏହି ଚେତାବନୀ ଦେଇଛି।ରିପୋର୍ଟ ଅନୁଯାୟୀ, ଗତ ଶନିବାର ଓମାନ ଉପକୂଳ ଦେଇ ଯାଉଥିବା ୮ଟି ବାଣିଜ୍ୟିକ ଜାହାଜକୁ ଇରାନ ନିର୍ଦ୍ଦେଶରେ ପଛକୁ ଫେରାଇ ଦିଆଯାଇଛି। ବ୍ଲୁମବର୍ଗର ସୂଚନା ମୁତାବକ, ଏହି ଜାହାଜଗୁଡ଼ିକ ମଧ୍ୟରେ ଅଶୋଧିତ ତୈଳ ଟ୍ୟାଙ୍କର ଓ ଅନ୍ୟାନ୍ୟ ମାଲବାହୀ ଜାହାଜ ସାମିଲ ଥିଲେ, ଯେଉଁମାନଙ୍କୁ ଇରାନର ନିର୍ଦ୍ଦେଶକ୍ରମେ ଅନ୍ୟ ରୁଟ୍କୁ ବଦଳାଇବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ଇରାନ ସୀମାରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରଠାରୁ ଇରାନ ଏହି ଜଳପଥ ଉପରେ କଟକଣା କଡ଼ାକଡ଼ି କରିବା ସହ ଆମେରିକା ଓ ଇସ୍ରାଏଲର ଜାହାଜ ଚଳାଚଳ ଉପରେ ରୋକ୍ ଲଗାଇଛି।




