ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଥିଲା ରଥ ନିର୍ମାଣର ୭୫ତମ ଦିବସ। ରଥ ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ଆଜିର ନିର୍ମାଣ କାର୍ଯ୍ୟ ଉତ୍ସାହର ସହ ଆରମ୍ଭ କରିଥିଲେ। ଆଜି ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ଲଗାଇବା ପାଇଁ ଦୁଆର ବାଣିଆ ସେବକମାନେ ନିୟୋଜିତ ହୋଇଛନ୍ତି। ପ୍ରତି ରଥରେ ଏହିପରି ୧୬ଟି ଲେଖାଏଁ ଫିଟିଂ କରାଯିବାର ବ୍ୟବସ୍ଥା ହୋଇଛି। ଏଥିସହିତ ରଥର ସିଂହାସନ ଚାରିକୋଣରେ ପଟା ପକାଯିବା ସହ ବେଦି ଚାରି ପାର୍ଶ୍ୱ କୋଣ ଗୁଡ଼ିକରେ ପାରୁସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟପଟେ, ନୂତନ ବ୍ରେକ ପୁଲିରେ ଲୁହା କଡା ଫିଟିଂ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ଚିତ୍ରକାର ସେବକମାନେ ରଥର ପ୍ରଭାରେ ଆକର୍ଷଣୀୟ ରଙ୍ଗ କାର୍ଯ୍ୟ ପାଇଁ ପ୍ରଥମେ ଧଳା ପ୍ରାଇମର୍ ବୋଳା ଶେଷ କରିଛନ୍ତି ଏବଂ ଏବେ ମୁଖ୍ୟ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ:

ପ୍ରଭାରେ ଖୋଦେଇ ହୋଇଥିବା ରୂପରେ ରଙ୍ଗ ଚିତ୍ର ସହ ମଝି ଭାଗରେ ପଦ୍ମ କଢ଼ି ଏବଂ ଦୁଇ ପାର୍ଶ୍ୱରେ ଶିବ ଓ ନାରଦଙ୍କ ଚିତ୍ର ତାଳଧ୍ୱଜରେ ଅଙ୍କନ କରାଯିବ। ଦର୍ପଦଳନ ରଥରେ ପ୍ରଭାରେ ପଦ୍ମ କଢ଼ି ସହ ଦୁଇ ପଟରେ ଦେବୀ ଗଙ୍ଗା ଓ ଯମୁନାଙ୍କ ଚିତ୍ର ଶୋଭା ପାଇବ। ନନ୍ଦିଘୋଷ ପ୍ରଭାରେ ପଦ୍ମ କଢି ସହ ଦେବରାଜ ଇନ୍ଦ୍ର ଓ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଚିତ୍ର ଅଙ୍କନ କରାଯିବାର ବିଧି ରହିଛି।

ଦର୍ଜି ଓ କମାର ସେବକଙ୍କ ସେବା ଜାରିରଥର ଦୁଆର ବେଢ଼ା ଓ ଚନ୍ଦ୍ର ଶାଳୀ ପାଇଁ ରଙ୍ଗବେରଙ୍ଗର କନା କଟିଙ୍ଗ କରାଯିବା ସହ ସେଥିରେ ସିଲଭର ଜରିର ସୂକ୍ଷ୍ମ କାରୁକାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଦୋଳବେଦି ପରିସରରେ ଥିବା ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ବେଶ୍ ତତ୍ପରତା ସହ ଧ୍ୱଜ ବତା କଣ୍ଟା ଓ ତିନିରଥର ପ୍ରଭା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ନୂଆ ବ୍ରେକ ପୁଲି ପାଇଁ ଆବଶ୍ୟକୀୟ ଲୁହା କଡା ନିର୍ମାଣ କାର୍ଯ୍ୟ ମଧ୍ୟ ସେମାନେ ଶେଷ କରିଛନ୍ତି। ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି।