ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି)ର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଶ୍ରୀ ସୁଧାଂଶୁ ମୋହନ ସାମଲ ଦୈତାରୀ ଲୁହାପଥର ଖଣି ଏବଂ ବାଙ୍ଗୁର କ୍ରୋମାଇଟ୍ ଖଣି ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଖଣି କାର୍ଯ୍ୟକଳାପର ସମୀକ୍ଷା କରିବା ସହ ଉତ୍ପାଦନ ବୃଦ୍ଧି, କାର୍ଯ୍ୟଦକ୍ଷତା, ସୁରକ୍ଷା ଓ ସ୍ଥାୟୀ ଖଣି ପରିଚାଳନା ଉପରେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ଶିଳ୍ପ ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ଶିଳ୍ପ କ୍ଷେତ୍ରକୁ ନିରବଚ୍ଛିନ୍ନ କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ଦୈତାରୀ ଲୁହାପଥର ଖଣି ପରିଦର୍ଶନ ସମୟରେ ଶ୍ରୀ ସାମଲ ସେଠାକାର ଉତ୍ପାଦନ ବ୍ୟବସ୍ଥା, କାର୍ଯ୍ୟଦକ୍ଷତା, ଲଜିଷ୍ଟିକ୍ସ ଏବଂ ସାମଗ୍ରିକ ପରିଚାଳନାର ତଦାରଖ କରିଥିଲେ। ଖଣିରୁ ଉତ୍ପାଦନ ବୃଦ୍ଧି କରିବା ସହ ସମ୍ବଳର ସଠିକ୍ ଉପଯୋଗ, ସ୍ଥାୟୀ ଖଣି କାର୍ଯ୍ୟକଳାପ ଓ ପରିବେଶ ସଂରକ୍ଷଣ ଉପରେ ସେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସେହିପରି ବାଙ୍ଗୁର ଭୂତଳ କ୍ରୋମାଇଟ୍ ଖଣି ପରିଦର୍ଶନ କରି ଶ୍ରୀ ସାମଲ ମାଟିତଳେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ଓ ଖଣିଜ ପରିବହନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଶିଳ୍ପ କ୍ଷେତ୍ରର ଚାହିଦା ମେଣ୍ଟାଇବା ପାଇଁ ଲମ୍ପି କ୍ରୋମାଇଟ୍ ଖଣିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆଧୁନିକ ଖଣି ପରିଚାଳନା ପଦ୍ଧତିର ପ୍ରୟୋଗ ଉପରେ ସେ ବଳ ଦେଇଛନ୍ତି। ତେବେ ଉତ୍ପାଦନ ବୃଦ୍ଧି ସହିତ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଏବଂ ଭୂତଳ ଖଣିର ସମସ୍ତ ସୁରକ୍ଷା ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ଏମଡ଼ି କହିଛନ୍ତି ଯେ କାର୍ଯ୍ୟଦକ୍ଷତା, ସୁରକ୍ଷା ଓ ସ୍ଥାୟୀ ଖଣି ପରିଚାଳନାର ସମନ୍ୱୟ ହିଁ ଓଏମସିକୁ ଦେଶର ଏକ ଅଗ୍ରଣୀ ଖଣି କମ୍ପାନୀ ଭାବେ ଆହୁରି ସଶକ୍ତ କରିବ। ସମ୍ବଳର ଦକ୍ଷ ପରିଚାଳନା ଓ ଦାୟିତ୍ୱବୋଧର ସହ କାମ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓଏମସିର ଏହି ଆଭିମୁଖ୍ୟ ଆଗାମୀ ଦିନରେ ଓଡ଼ିଶାର ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।




