ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ଏବେ ନୂଆ ରୂପ ନେଇଛି। ପୂର୍ବରୁ କେତେକ ପଞ୍ଚାୟତରେ ସୀମିତ ଥିବା ଏହି ଅଭିଯାନ ବର୍ତ୍ତମାନ ସମଗ୍ର ଜିଲ୍ଲାକୁ ବ୍ୟାପିଛି। ସୋମବାର ହଜାର ହଜାର ମହିଳା ହାତରେ ଠେଙ୍ଗା ଧରି ଜିଲ୍ଲାବ୍ୟାପୀ ମଦବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘର ଆହ୍ୱାନରେ ଚାଉଁରିଆଗୁଡ଼ା ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ଜିଲ୍ଲାବ୍ୟାପୀ ସମ୍ପୂର୍ଣ୍ଣ ମଦବନ୍ଦ ସହ ୧୦ ଦଫା ଦାବି ଉଠାଯାଇଥିଲା। ଦିନ ୧୨ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହଜାର ହଜାର ମହିଳା ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ।
ଜିଲ୍ଲା ନାରୀ ମହାସଂଘର ସଭାପତି ଦ୍ରୌପଦୀ ଗଣ୍ଡ, ସମ୍ପାଦିକା ପ୍ରଭାତି ଦୁରୁଆ ଓ ରମ୍ଭା ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଜିଲ୍ଲାର ୧୦ଟି ବ୍ଲକ୍ ପକ୍ଷରୁ ପୃଥକ୍ ପୃଥକ୍ ଦାବିପତ୍ର ଏସ୍ପି ଓ ଅବକାରୀ ଏସ୍ପିଙ୍କୁ ମଧ୍ୟ ଦିଆଯାଇଥିଲା। ଆନ୍ଦୋଳନରେ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ରାଜେଶ ଜାନୀ, ଦେବରାଜ ନାଗ, ଦୟାନିଧି ସୁନା ଏବଂ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇଥିଲେ।
ମହାସଂଘର ସଭାପତି ଦ୍ରୌପଦୀ ଗଣ୍ଡ କହିଛନ୍ତି, ଜିଲ୍ଲାରେ ଦେଶୀ, ପାଉଚ୍, ବିଦେଶୀ ଓ ନକଲି ବିଦେଶୀ ମଦର ବେଆଇନ କାରବାର ବ୍ୟାପକ ଭାବେ ବଢ଼ିଚାଲିଛି। ଏହା ଯୋଗୁଁ ପରିବାରରେ ଅଶାନ୍ତି, ହିଂସା ଓ ବିଭିନ୍ନ ସାମାଜିକ ଅପରାଧ ବୃଦ୍ଧି ପାଉଛି। ତେଣୁ ଜିଲ୍ଲାରେ ସମ୍ପୂର୍ଣ୍ଣ ମଦବନ୍ଦ ଲାଗୁ କରିବା ସହ ବେଆଇନ ମଦ କାରବାରରେ ବାରମ୍ବାର ଧରାପଡ଼ୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବା ଏବଂ ଅବକାରୀ ଓ ପୁଲିସ ବିଭାଗକୁ କଠୋର ଆଇନଗତ କ୍ଷମତା ପ୍ରଦାନ କରିବାକୁ ଦାବି କରାଯାଇଛି।
ଦାବିପତ୍ରରେ ମକିଆ, ଧନସୁଲି, ଅଞ୍ଚଳଗୁମ୍ମା, ପଣ୍ଡିତଗୁଡ଼ା ଓ ମଇଦଲପୁର ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ମଦ ଭାଟି ବନ୍ଦ କରିବାକୁ ଦାବି କରାଯାଇଛି। ସମ୍ପୃକ୍ତ ଗ୍ରାମଗୁଡ଼ିକରେ ପଲ୍ଲୀସଭା ଓ ଗ୍ରାମସଭା ନ ହେବା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ବନ୍ଦ ରଖିବା ସହ ବେଆଇନ ଭାବେ ଚାଲୁଥିବା ସମସ୍ତ ମଦ ବ୍ୟବସାୟ ବନ୍ଦ କରି ବ୍ୟବସାୟୀଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ଉଠିଛି।
ସରକାର ଦୃଢ଼ ପଦକ୍ଷେପ ନେବା ପର୍ଯ୍ୟନ୍ତ ମଦ ବ୍ୟବସାୟୀ ଓ ମଦ୍ୟପଙ୍କୁ ସାମାଜିକ ଭାବେ ବାସନ୍ଦ କରିବାକୁ ମହିଳାମାନେ ନିଷ୍ପତ୍ତି ନେଇଥିବା ମଧ୍ୟ ଘୋଷଣା କରିଛନ୍ତି।
ଆନ୍ଦୋଳନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଡିଏସ୍ପି ସରୋଜ ପୁନମ କିସପଟ୍ଟା, ଇନ୍ସପେକ୍ଟର ସୀମା ପ୍ରଧାନ, ଉମରକୋଟ ଥାନା ଅଧିକାରୀ ବିପନ ବାଗ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ମୁତୟନ ରହିଥିଲେ।




