ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟାପଙ୍ଗ ଅଞ୍ଚଳରେ ବେଆଇନ ବିସ୍ଫୋରକ ଚାଲାଣ ଉପରେ ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋମବାର ପୋଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦୦ଟି ଜେଲାଟିନ୍ ଷ୍ଟିକ୍ ଏବଂ ୧୦୦ଟି ଡେଟୋନେଟର ଜବତ କରିଛି। ଜିଲ୍ଲାରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟ ପାଇଁ ଏହି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଥିବା ପୋଲିସ ସନ୍ଦେହ କରୁଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ପିଣ୍ଟୁ ପ୍ରଧାନ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ରବି ନାରାୟଣ ଓ ବିଶ୍ୱନାଥ ଖାଁରା। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନିକଟରୁ କେବଳ ବିସ୍ଫୋରକ ନୁହେଁ, ବରଂ ୬.୮ ଲକ୍ଷ ନଗଦ ଟଙ୍କା, ଦୁଇଟି ମୋଟରସାଇକେଲ ଏବଂ ଏକ ପିକଅପ୍ ଭ୍ୟାନ୍ ମଧ୍ୟ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜବତ ହୋଇଥିବା ନଗଦ ଟଙ୍କା ଅଧିକ ଜେଲାଟିନ୍ ଷ୍ଟିକ୍ କିଣିବା ପାଇଁ ରଖାଯାଇଥିଲା।

ଖୋର୍ଦ୍ଧା ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସ କହିଛନ୍ତି ଯେ, ଟାପଙ୍ଗ ଅଞ୍ଚଳରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସଦର ଥାନା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ କରିଥିଲା ଏବଂ ସନ୍ଦିଗ୍ଧମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।ଟାପଙ୍ଗ ଅଞ୍ଚଳଟି ପଥର କ୍ୱାରୀ ପାଇଁ ଜଣାଶୁଣା ହୋଇଥିବାରୁ, ଏଠାରେ ଚାଲିଥିବା ବେଆଇନ ବ୍ଲାଷ୍ଟିଂ ଏବଂ ଅଣଅନୁମୋଦିତ ଖଣି ଖନନ ପାଇଁ ଏହି ବିସ୍ଫୋରକ ସାମଗ୍ରୀ ଅଣାଯାଇଥିଲା ବୋଲି ପୋଲିସ କହିଛି। ବର୍ତ୍ତମାନ ପୋଲିସ ଏହି ବିସ୍ଫୋରକ ସାମଗ୍ରୀର ମୂଳ ଉତ୍ସ କେଉଁଠି ଏବଂ ଏହି ବେଆଇନ ଯୋଗାଣ ଚେନ୍‌ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି।