ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ରୟାଲଟି ଆଦାୟ ଓ ଜମା ପ୍ରକ୍ରିୟାରେ ଏକ ବଡ଼ ଧରଣର ଆର୍ଥୀକ ଅନିୟମିତତା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୩-୨୪ରୁ ୨୦୨୬ ମସିହା ମଧ୍ୟରେ ପଞ୍ଚାୟତିରାଜ ବିଭାଗ ଅଧୀନରେ ଆଦାୟ ହୋଇଥିବା ପ୍ରାୟ ୨୮୩ କୋଟି ଟଙ୍କାର ଲଘୁ ଖଣିଜ ରୟାଲଟି ସରକାରୀ ଖାତାକୁ ସିଧାସଳଖ ଜମା ହୋଇନାହିଁ। ଏହି ବିପୁଳ ପରିମାଣର ଅର୍ଥ ସରକାରୀ ରାଜକୋଷକୁ ନଯାଇ ବିଭିନ୍ନ ତହସିଲଦାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହିଥିବା ଜଣାପଡ଼ିଛି।
ଏହି ସରକାରୀ ଅର୍ଥ ହେରଫେର ମାମଲା ସାମ୍ନାକୁ ଆସିବା ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିଭାଗର ସ୍ବତନ୍ତ୍ର ସଚିବ ସୂର୍ଯ୍ୟନାରାୟଣ ଦାସ ଏନେଇ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଯେଉଁ ତହସିଲଦାରଙ୍କ ବ୍ୟାଙ୍କ ଖାତାରେ ଏହି ସମସ୍ତ ଅର୍ଥ ଜମା ହୋଇ ରହିଛି, ସେହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ତୁରନ୍ତ ଫ୍ରିଜ୍ କରିବା ସହିତ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଯାଞ୍ଚ ରିପୋର୍ଟ ଦେବାକୁ କୁହାଯାଇଛି।
ଅଡିଟ୍ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତିରାଜ ଅନୁଷ୍ଠାନ ଦ୍ୱାରା ସଂଗୃହିତ ହେଉଥିବା ଲଘୁ ଖଣିଜ ରୟାଲଟିକୁ ନିୟମ ଅନୁଯାୟୀ ବିନା ବିଳମ୍ବରେ ସରକାରୀ ଖାତାରେ ଜମା କରିବା ବାଧ୍ୟତାମୂଳକ। କିନ୍ତୁ ଏପରି ନକରି ବେଆଇନ ଭାବେ ଏହି ଟଙ୍କାକୁ ତହସିଲଦାରଙ୍କ ବ୍ୟାଙ୍କ ଖାତାରେ ରଖାଯାଉଥିଲା।
ଏହି ଆର୍ଥିକ କାରବାରର ସମ୍ପୂର୍ଣ୍ଣ ଯାଞ୍ଚ କରିବା ସହ ବ୍ୟାଙ୍କ ଖାତାରେ ଥିବା ସମସ୍ତ ଅର୍ଥକୁ ଅବିଳମ୍ବେ ସରକାରୀ ଖାତାକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ସମସ୍ତ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ କେବଳ ‘ସାଇବର ଟ୍ରେଜେରୀ’ ମାଧ୍ୟମରେ ସିଧାସଳଖ ସରକାରୀ ଖାତାରେ ରୟାଲଟି ଜମା କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ଏହି ଘଟଣା ଏବେ ସରକାରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।




